Odisha news

ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଙ୍କ ଦାୟିତ୍ବ ଗ୍ରହଣ

0

ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଜାନୁଆରି ୧ ତାରିଖଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କର ଶେଷ କାର୍ଯ୍ୟ ଦିବସରେ ଶ୍ରୀମତୀ ଗର୍ଗଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଶ୍ରୀମତୀ ଗର୍ଗ ହେବେ ରାଜ୍ୟର ୪୭ତମ ମୁଖ୍ୟ ଶାସନ ସଚିବ। ଯଦି ପୂରା ସମୟ ସେ ଏହି ପଦବିରେ ରୁହନ୍ତି, ତେବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ୩ ମାସ ରହିବ। ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ପ୍ରଥମ ମହିଳା ଉନ୍ନୟନ କମିସନର୍ ଭାବେ ୨୦୨୩ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିଲେ। ସେବେଠାରୁ ଜଳସମ୍ପଦ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ, ଶ୍ରମ, ସ୍ବାସ୍ଥ୍ୟ ଆଦି ବିଭାଗର ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀମତୀ ଗର୍ଗଙ୍କ ସ୍ବାମୀ ତଥା ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୌରଭ ଗର୍ଗ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ଉଭୟ ଉତ୍ତରପ୍ରଦେଶର ମୂଳ ବାସିନ୍ଦା।

ଦାୟିତ୍ବ ଗ୍ରହଣ ପରେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଓ ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ମହିଳା ଭାବେ ରାଜ୍ୟ ପ୍ରଶାସନର ନେତୃତ୍ବ ନେବା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ଯାହା କି ସରକାରଙ୍କ ଉତ୍କର୍ଷତା ଓ ସଶକ୍ତୀକରଣକୁ ପ୍ରତିଫଳନ କରୁଛି। ତାଙ୍କର ବ୍ୟାପକ ଅଭିଜ୍ଞତା ଓ ଦୂରଦୃଷ୍ଟି ଓଡ଼ିଶାର ବିକାଶକୁ ଆହୁରି ଆଗକୁ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଭାବେ ଶ୍ରୀ ଆହୁଜାଙ୍କ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଗଣମାଧ୍ୟମକୁ ଶ୍ରୀମତୀ ଗର୍ଗ କହିଥିଲେ, ଏହା ମୋ ପାଇଁ ବହୁତ ବଡ଼ ଦାୟିତ୍ୱ ଆଉ ସୁଯୋଗ। ଓଡ଼ିଶା ପାଇଁ ସୁନ୍ଦର ଭିଜନ୍‌ ଡକ୍ୟୁମେଣ୍ଟ ୨୦୩୬ ପ୍ରସ୍ତୁତ କରାଯାଇଛି। ମୋର ପ୍ରଥମ କର୍ତ୍ତବ୍ୟ ହେବ ସ୍ବପ୍ନର ଓଡ଼ିଶା ଗଠନ। ଆମ ସାମନାରେ ଅନେକ ଆହ୍ବାନ ରହିଛି। ଆମେ ସମସ୍ତେ ମିଶି ସବୁ ଆହ୍ବାନକୁ ଅତିକ୍ରମ କରି ଭିଜୁନ୍ ଡକ୍ୟୁମେଣ୍ଟକୁ କ୍ରିୟାନ୍ବିତ କରିପାରିବା। କେବଳ ମହିଳା ସଶକ୍ତୀକରଣ ନୁହେଁ, ଯୁବ ଶକ୍ତିକୁ ବି ସଶକ୍ତ କରାଯିବ। ତୃଣମୂଳ ସ୍ତରରେ ଥିବା ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ।

ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ, ନୂଆ ସରକାରର ଉଦ୍ଦେଶ୍ୟ ଥିଲା ନାଗରିକ କେନ୍ଦ୍ରିକ ସେବା ଓ ଶାସନ ପ୍ରଶାସନ ମଧ୍ୟରେ ଟିମ୍‌ ୱାର୍କ ରଖି କାମ କରିବା। ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା, ଧାନର ଇନ୍‌ପୁଟ୍‌ ସବ୍‌ସିଡି, ସୁଭଦ୍ରା ଭଳି ଯୋଜନା କାର୍ଯକାରୀ କରିବା ବଡ଼ ଉପଲବ୍ଧି। ଓଡ଼ିଶାରେ ୩୫ ବର୍ଷ ଚାକିରି କରିଛି। ଓଡ଼ିଶା ଲୋକ ବହୁତ ସ୍ନେହ ଦେଇଛନ୍ତି। ନୂଆ ଦାୟିତ୍ୱ ଚ୍ୟାଲେଞ୍ଜ ଥିଲେ ମଧ୍ୟ ସରକାରରେ ସ୍ପଷ୍ଟତା ଥିଲା। ନିଯୁକ୍ତି ଓ ବିକାଶ ବଡ଼ ଲକ୍ଷ୍ୟ ଥିଲା। ୨୦୩୬ ଭିଜନ୍‌ କେବଳ ସରକାର ନୁହେଁ, ରାଜ୍ୟର ଲୋକମାନେ ମିଳିତ ଭାବେ ଲକ୍ଷ୍ୟ ପୂରଣ କରିବେ।

Leave A Reply