ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ , ଗବେଷଣା ମାଧ୍ୟମରେ ଇନୋଭେସନର କଳ୍ପନା କରିବା- ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ
• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନ -୧ର ଉଦଘାଟନ ଓ ପିଏମ୍-ଉଷା ଯୋଜନାରେ ଗବେଷକ ଓ ଗବେଷିକା ଛାତ୍ରାବାସ ସମେତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
• ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱବିଦ୍ୟାଳୟର ପରିଚୟକୁ ଆଗେଇ
• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ଦେଇଛନ୍ତି ପ୍ରାୟ ୨୦୦ କୋଟି ଟଙ୍କା
• ଗଞ୍ଜାମର ବରପୁତ୍ର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କୁ ମନେ ପକାଇଲେ କେନ୍ଦ୍ରମନ୍ତ୍ରୀ
• ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ ଏବଂ ଡିଗ୍ରି ଲାଭ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଜଣେ ପରିବର୍ତ୍ତନର ବାହକ
• ଗଞ୍ଜାମର ପରିଶ୍ରମରେ ଦେଶର ଅର୍ଥନୀତି ମଜଭୂତ୍ ହେଉଛି, ଏଠାରେ ରୋଜଗାରର ନୂଆ ସୁଯୋଗ ତିଆରି କରିବା ଦରକାର
• ଗଞ୍ଜାମରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ସମ୍ଭାବନା ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ
• ବ୍ରହ୍ମପୁରକୁ ନ୍ୟୁ ଏଜ୍ ଇକେନୋମୀ ତଥା ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ କରିବା ପାଇଁ ଆହ୍ୱାନ
ବ୍ରହ୍ମପୁର, ଅଗଷ୍ଟ ୯ – ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଏହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ଉଚିତ୍ ବୋଲି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବିଶ୍ୱ ଆଦିବାସୀ ଦିବସ ମଧ୍ୟ । କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲ୍ଲା ଜନଜାତି ମାନଙ୍କର ମୂଳ ପେଣ୍ଠସ୍ଥଳ । ବୀର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କ ପରି ମହାପୁରୁଷମାନେ ଏହି ମାଟିରେ ଜନ୍ମନେଇ ଗଞ୍ଜାମ ମାଟିକୁ ପବିତ୍ର କରିଛନ୍ତି । ଓଡ଼ିଶାର ଭାଷା ଆନ୍ଦୋଳନ, ସାହିତ୍ୟ ଆନ୍ଦୋଳନ ସହ ଶ୍ରମଜୀବୀଙ୍କ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ତିଆରି କରିବାରେ ଗଞ୍ଜାମର ଅବଦାନ ବହୁତ ଅଧିକ । ଜିଲ୍ଲାର ପରିଶ୍ରମୀ ଲୋକଙ୍କ ହାତରେ ଗୁଜୁରାଟର ସୁରତ ସମେତ ଆମ ରାଜ୍ୟ ଓ ଦେଶର ଅର୍ଥନୀତି ମଜଭୂତ୍ ହୋଇଛି । ତେଣୁ ଏଠାରେ ଲୋକମାନଙ୍କୁ ବାହାରକୁ ନହେଁ ବରଂ ସେମାନଙ୍କର ରୋଜଗାର ବ୍ୟବସ୍ଥା କରାଇବା ପାଇଁ ଦାୟିତ୍ୱ ନେବା ଦରକାର । ଓଡ଼ିଆ ଯୁବକଙ୍କୁ ସୁଯୋଗ ଦେଲେ ସେମାନେ ସବୁ କାମ କରିପାରିବେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପିଏମ୍ ଉଷା ଯୋଜନାରେ ୧୦୦ କୋଟି ଟଙ୍କା ସମେତ ରାଜ୍ୟ ବଜେଟରୁ ୭୫ କୋଟି ଟଙ୍କା ଦେଇଛନ୍ତି । ସବୁ ଯୋଜନାକୁ ମିଶାଇଲେ ପ୍ରାୟ ୨୦୦ କୋଟି ଟଙ୍କା ଏହି ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି, ଯାହା ଖୁସିର ବିଷୟ ।
ସେ କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ହୋଇଛି ଏବଂ ଏହି ଶିକ୍ଷା ନୀତି କାର୍ଯ୍ୟକାରୀ ହେବାର ୫ ବର୍ଷ ପୂର୍ତ୍ତି ହୋଇଛି । ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଗୁଣାତ୍ମକ ଉଚ୍ଚ ଶିକ୍ଷାନୁଷ୍ଠାନ ସବୁ ରହିଛି । ଆଇଜର ବ୍ରହ୍ମପୁର, ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ କଲେଜ, କଲେଜ ଅଫ ଫିସରିଜ ଭଳି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ରହିଛି । ଏଠାରେ ବିରଳ ମୂର୍ତ୍ତିକାର ଖଣିଜ ପଦାର୍ଥ ଓ ଗୋପାଳପୁର ଭଳି ବନ୍ଦର ଅଛି । ପର୍ଯ୍ୟଟନର ଅପାର ସମ୍ଭାବନା ମଧ୍ୟ ରହିଛି । ଏ ଅଞ୍ଚଳର ସମ୍ଭାବନାକୁ ଆଧାର କରି ବ୍ରହ୍ମପୁରକୁ ନ୍ୟୁ ଏଜ୍ ଇକେନୋମୀ ବା ନୂଆ ସମୟର ଅର୍ଥନୀତି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାସହ ବିକଶିତ ଗଞ୍ଜାମ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଏବଂ ବ୍ରହ୍ମପୁରକୁ ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ କରିବା ଦିଗରେ ସହଯୋଗୀ ହେବ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଆଜିର ଶୁଭ ଅବସରରେ ଦେଶର ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର କ୍ଷେପଣାସ୍ତ୍ର ମହିଳା ଡକ୍ଟର ଟେସୀ ଥୋମସ, ମିଲେଟ୍ ରାଣୀ ରାଈମତି ଘିଉରିଆ ଏବଂ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି ସମ୍ମାନିତ ହୋଇଥିବାରୁ ଅଭିନନ୍ଦନ । ଏହି ବ୍ୟକ୍ତିବିଶେଷମାନେ ଆମ ଦେଶକୁ ଗର୍ବିତ କରିଛନ୍ତି । ପିଏଚଡ଼ି ଓ ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ ଏବଂ ଡିଗ୍ରି ଲାଭ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଜଣେ ପରିବର୍ତ୍ତନର ବାହକ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନ -୧ର ଉଦଘାଟନ କରିଥିଲେ । ଏହାସହ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ) ଯୋଜନା ଅନ୍ତର୍ଭୃକ୍ତ ପ୍ରକଳ୍ପ ସମୂହ ଯଥା ଗବେଷକ ଓ ଗବେଷିକା ଛାତ୍ରାବାସ, ସ୍ନାତକୋତ୍ତର ଛାତ୍ରାବାସ ଓ ଛାତ୍ରୀ ନିବାସ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ସଂଗ୍ରହାଳୟ ପାଇଁ ବହୁଉଦ୍ଦେଶ୍ୟ ସାଧନ କେନ୍ଦ୍ର, କେନ୍ଦ୍ରୀୟ କମ୍ପ୍ୟୁଟର ପରୀକ୍ଷାଗାର, ନୂତନ ସାମାଜିକ ବିଜ୍ଞାନ ଏବଂ ମାନସିକ ବିଷୟ ସମୂହ ଶିକ୍ଷାତ୍ମକ ଭବନ, ନୂତନ ବିଜ୍ଞାନ ଶିକ୍ଷାତ୍ମକ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସବୁ ପ୍ରକଳ୍ପ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱବିଦ୍ୟାଳୟର ପରିଚୟକୁ ଆଗେଇ ନେବାରେ ସହାୟକ ହେବ ।
ଏହି ସମାବର୍ତ୍ତନ କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ପ୍ରମୁଖ ଯୋଗଦେଇଥିଲେ।