Odisha news

ଦାରିଙ୍ଗବାଡିରେ ଘନ ଘନ ଚୋରି, ରାତ୍ରୀ କାଳୀନ ପାଟ୍ରୋଲିଂ କଡାକଡି କରିବାକୁ ଦାବୀ

0
ବାଲିଗୁଡା, ତା, ୦୫/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଉଛି। ଦୁର୍ବୁତ୍ତମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଲାଭଳି ଗୋଟିଏ ରାତିରେ ଅଞ୍ଚଳରେ ଏକାଧିକ ଚୋରି କରିଛନ୍ତି। ତାହା ମଧ୍ୟ ଥାନାଠାରୁ ମାତ୍ର ୨ ଶହ ମିଟର ଦୂରତାରେ ଟିଡିସିସି ପରିସରରେ ଥିବା ମାର୍କେଟ ବିଲଡିଂ ଓ ତାର ସମ୍ମୁଖ ଦୋକାନ ଓ ଗୋଦାମ ଗୃହରୁ ତାଲା କାଟି ଚୋରି ହୋଇଥିବା ଜଣାପଡିଛି। ତେବେ କିଛି ଜଣଙ୍କ ଦୋକାନ ଓ ଗୋଦାମର ତାଲା କାଟିଥିଲେ ମଧ୍ୟ ଚୋରି କରିନେଇ ପାରି ନାହାନ୍ତି। ମୋହନ ସୁବୁଦ୍ଧିଙ୍କ ସିମେଣ୍ଟ ଛଡ଼ ଦୋକାନ କାଟିଥିଲେ ମଧ୍ୟ ଚୋରି କରିପାରି ନ ଥିବାବେଳେ ଜଗନ୍ନାଥ ପାଢ଼ୀଙ୍କ ଜାତୀୟ ରାଜପଥ କଡ଼ ବଜାର ଉପରେ ଥିବା ରାସନ ଦୋକାନର ତାଲା କାଟି ଚୋରି ହୋଇଛି। ସେହିପରି ଅମରେଶ ସାହୁଙ୍କ ଇଲେକ୍ଟ୍ରି ଦୋକାନ, ଲକ୍ଷ୍ମଣ ବେହେରାଙ୍କ ଚପଲ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି। ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ଦୁର୍ବୁତ୍ତଙ୍କ ଫଟୋ ସିସି ଟିଭି କ୍ୟାମେରା ରେ କଏଦ ହୋଇଥିବା ଜଣାପଡିଛି। ଦାରିଙ୍ଗବାଡି ଅଞ୍ଚଳ ରେ ବାହାର ରାଜ୍ୟର ବୁଲା ବିକାଳୀ ମାନେ ଶହ ଶହ ସଂଖ୍ୟାରେ ଘର ଭଡା ନେଇ ରହି ଦିନରେ ବୁଲା ବିକାଳୀ ଓ ରାତିରେ ଚୋରି କରୁଥିବା ଅଭିଯୋଗ ହେଉଛି। ବଣିକ ସଙ୍ଘ ପକ୍ଷରୁ ସେମାନଙ୍କୁ ତଦନ୍ତ ପରିସରର୍ଭୁକ୍ତ କରିବାକୁ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ଗତ ମାସ ୨୮ ତାରିଖରେ ଶିବ ମନ୍ଦିର ସାହିରେ ୨ଟି ବାଇକ ଗୋଟିଏ ରାତିରେ ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ କାହାକୁ ଗିରଫ କରିପାରିନାହିଁ । ବାରମ୍ବାର ଏଭଳି ଚୋରି ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି।
Leave A Reply