Odisha news

ପୂର୍ବତଟ ରେଳପଥ ଓ ଇକୋରୋ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0

ବିଭିନ୍ନକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୮ ଜଣ ମହିଳା ରେଳ କର୍ମଚାରୀ ସମ୍ମାନିତ 

  • ବିଭିନ୍ନପ୍ରତିଯୋଗିତାରେ ସଫଳତା ପାଇଁ ୧୦ ଜଣ ମହିଳା ରେଳ କର୍ମଚାରୀ ପୁରସ୍କୃତ 

ଆଜି ପୂର୍ବତଟ ରେଳପଥ ଦ୍ୱାରା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସହ ମିଳିତ ଭାବେ ଭୁବନେଶ୍ୱରର ରେଳ ଅଡିଟୋରିୟମ୍‌ରେ ଆନ୍ତର୍ଜାତୀୟ ମହିଳା ଦିବସ 2025 ପାଳନ କରାଯାଇଥିଲା।

ଏହି ଅବସରରେ ମହିଳା ରେଳ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଶ୍ରୀମତୀ କବିତା ଫୁଙ୍କୱାଲ୍ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରତ୍ୟେକ ମହିଳା ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା, ବିଭିନ୍ନ ଆହ୍ୱାନକୁ ଦୂର କରିବା ଏବଂ ନିଜ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ସହିତ ନିଜ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଉଚିତ।

ଶ୍ରୀମତୀ ଫୁଙ୍କୱାଲ୍ ମଧ୍ୟ ରେଳପଥ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଓ ଅସାଧାରଣ ଅବଦାନ ପାଇଁ ସମ୍ମାନିତ କରିଥିଲେ । ଏହି ଅବସରରେ, ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପି. ଭରଲକ୍ଷ୍ମୀ ମହିଳାମାନଙ୍କ ମଧ୍ୟରେ ଥିବା ସାଧାରଣ ସ୍ତ୍ରୀ ରୋଗ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ, ବିଶାଖାପାଟଣାର ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ଆଲା ଅରୁଣାଶ୍ରୀ ରେଳ ପରିଚାଳନାର ବିଭିନ୍ନ ଦିଗରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରି ଭାରତୀୟ ରେଳପଥକୁ ପରିବର୍ତ୍ତନ କରିବାରେ ସେମାନଙ୍କୁ ଯୋଦ୍ଧା ଭାବରେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ 28 ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା, ଯେଉଁଥିରେ ଅନ୍ତର୍ଭୁକ୍ତ:

ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ  18 ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

କବିତା ପାଠ, ରଙ୍ଗୋଲି ଏବଂ ପୂଜା ଥାଳି ସାଜ ସଜ୍ଜା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ପାଇଁ 10 ଜଣ ମହିଳା ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା

ଖୋର୍ଦ୍ଧା ରୋଡ, ୱାଲଟିୟର, ରାୟଗଡା ଏବଂ ସମ୍ବଲପୁର ରେଳ ମଣ୍ଡଳ ମୁଖ୍ୟାଳୟ ସହ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା ପୂର୍ବତଟ ରେଳ ପଥର ମୁଖ୍ୟ କାର୍ମିକ ଅଧିକାରୀ (ସାଧାରଣ) ଶ୍ରୀ ସୂର୍ଯ୍ୟ ପ୍ରକାଶ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରି ରେଳପଥରେ ମହିଳା କର୍ମଚାରୀମାନଙ୍କ ଆନ୍ତରିକ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ ।  ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମହିଳା ରେଳ କର୍ମଚାରୀଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply