ତିହିଡି,୨୦/୦୨(ଯଦୁମଣି ପାଣିଗ୍ରାହୀ): ବରିଷ୍ଠ ବିଜେପି ନେତା ତଥା ତିହିଡି ବ୍ଲକ ଅଧିନସ୍ଥ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ଗ୍ରାମର ବାସିନ୍ଦା ଦୁର୍ଗାଚରଣ ନାୟକ(ଦୁର୍ଗା ଭାଇ)ଙ୍କର ଆଜି କଟକ ବଡ ଡାକ୍ତରଖାନାରେ ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ମାସ ହେଲା ଦନ୍ତ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଉକ୍ରଳ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସ୍ୱର୍ଗତ ନାୟକ ପ୍ରଥମେ ଜନତା ଦଳ, ପରେ କଂଗ୍ରେସ ଓ ଶେଷରେ ବିଜେପିରେ ଯୋଗଦେଇ ମୃତୁ୍ୟ ଅବଧି ଦଳପାଇଁ କାର୍ଯ୍ୟ କରୁଥିଲେ । ସେ ପୂର୍ବରୁ ବିଜେପିର ତିହିଡି ବ୍ଲକ ସଭାପତି ଓ ଜିଲ୍ଲା ବିଜେପିର ଉପସଭାପତି ଦାୟିତ୍ୱରେ ଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଜେପିର ପ୍ରଚାର ଦାୟିତ୍ୱରେ ଥିଲେ । ସ୍ୱର୍ଗତ ନାୟକ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଓ ପ୍ରାକ୍ତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଏକାନ୍ତ ଅନୁଗତ ଥିଲେ । ସେ ଜଣେ, ଭଦ୍ର, ମେଳାପୀ ଓ ପରୋପକାରୀ ସ୍ୱଭାବର ମଣିଷ ଥିଲେ । ଜଣେ ଦକ୍ଷ ସଙ୍ଗଠକ ଭାବରେ ତିହିଡିରେ ବିଜେପି ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଭୂମିକା ରହିଥିଲା । ତାଙ୍କ ମୃତୁ୍ୟରେ ତିହିଡି ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନୁ୍ୟ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଯୁବନେତା ଉଦୟ ନାରାୟଣ ମଲ୍ଲିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ବିଜେପି ନେତା ରଘୁନାଥ ପାତ୍ର, ସରପଞ୍ଚ ପ୍ରଦୀପ କୁମାର ବଳ, ଶୁଭ୍ରନାରାୟଣ ସେଠୀ, ଅଜୟ ମହାପାତ୍ର, ରାଜକିଶୋର ନାୟକ, ଶରତ ଦାସ, ସୀତାକାନ୍ତ ନାୟକ, ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ସାଇଶରଣ ବେହେରା, ଦେବବ୍ରତ ପାଢୀ, ପ୍ରତାପ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତୁ୍ୟରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।