ତିହିଡି,୨୪/୧୨(ଯଦୁମଣି ପାଣିଗ୍ରାହୀ): କେନ୍ଦ୍ର ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସରକାରୀ ରିହାତି/ସହାୟତା ପ୍ରଦାନର ବ୍ୟବସ୍ଥା କରିଥିଲେ । ମାତ୍ର ଗ୍ରାମାଞ୍ଚଳରେ ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ବ୍ୟାଙ୍କରେ ଜମାଖାତାଟିଏ ଖୋଲିବାକୁ ବି ସେମାନଙ୍କ ପାଖରେ ଆର୍ଥିକ ସମ୍ବଳର ଅଭାବ ରହିଥିବା କଥା ସରକାର ଉପଲବ୍ଧି କରିବା ପରେ କେନ୍ଦ୍ର ସରକାର ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ବ୍ୟାଙ୍କରେ ଜମାଖାତା ନଥିବା ଲୋକଟିଏ ବିନା ପଇସା(ଜିରୋ ବାଲାନ୍ସ)ରେ ଯେକୌଣସି ବ୍ୟାଙ୍କରେ ନିଜର ଆକାଉଣ୍ଟଟିଏ ଖୋଲିପାରିବାର ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରି ଏହି ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କ ଗୁଡିକୁ ବି ନିଦେ୍ର୍ଦଶ ଦିଆଯାଇଥିଲା । ସେହି ଅନୁସାରେ ବ୍ୟାଙ୍କ ଗୁଡିକ ଆବଶ୍ୟକ ଏଜେଣ୍ଟ ମାନଙ୍କ ସହାୟତାରେ ଲୋକ ମାନଙ୍କର ଆକାଉଣ୍ଟ ଖୋଲିବାର ବ୍ୟବସ୍ଥା କରାଇଥିଲେ । ତେବେ ବହୁଲୋକ ଯୋଜନାର ଲାଭ ନେବାକୁ ଆବେଦନ କରିଥିବା ବେଳେ କିଛି ଲୋକ ଏହି ଯୋଜନାରେ ସାମିଲ ହେବା ସହିତ ବ୍ୟାଙ୍କରୁ ନିଜ ଆକାଉଣ୍ଟ ନମ୍ବର ଓ ଜମାଖାତା ହାସଲ କରିଥିଲେ । ପରେ ପରେ ବ୍ୟାଙ୍କ ଗୁଡିକ ଏଥିନେଇ ଅସହଯୋଗ କରିବା ଆରମ୍ଭ କରିଥିଲେ । ଅନେକ ଲୋକ ଆବଶ୍ୟକ କାଗଜାତ ସହିତ ଫର୍ମ ପୂରଣ କରି ବ୍ୟାଙ୍କରେ ଦାଖଲ କରିଥିଲେ ମଧ୍ୟ ସେମାନଙ୍କୁ ଆକାଉଣ୍ଟ ନମ୍ବର କି ଜମାଖାତା ଯୋଗାଇ ଦେବାରେ ବ୍ୟାଙ୍କ କର୍ମଚାରୀ ମାନେ ଆଉ ସହଯୋଗ କରି ନଥିଲେ । ହିତାଧିକାରୀ ମାନେ ଏଥିନେଇ ବାରମ୍ବାର ବ୍ୟାଙ୍କକୁ ଦୌଡିଥିଲେ ମଧ୍ୟ କର୍ମଚାରୀ ମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଦିନ ଗଡାଇ ଚାଲିଥିଲେ । ତେବେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆକାଉଣ୍ଟ ମାଧ୍ୟମରେ ପ୍ରତ୍ୟକ ମହିଳାଙ୍କ ଖାତାକୁ ୧୫ଶହ କରି ଟଙ୍କା ଆସିଥିବା ବେଳେ ଜମାଖାତା ପାଇଥିବା ମହିଳା ମାନେ ଉପକୃତ ହୋଇଥିବା ବେଳେ ପାଇନଥିବା ମହିଳାଙ୍କୁ ନିରାଶ ହେବାକୁ ପଡିଥିଲା । ଏବେ ସରକାରୀ ନିଦେ୍ର୍ଦଶରେ ଜନଧନ ଯୋଜନାରେ ଆକାଉଣ୍ଟଧାରୀ ମାନେ ବ୍ୟାଙ୍କରେ କେୱାଇସି କରିବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଜମାଖାତା ପାଇନଥିବା କି ଆକାଉଣ୍ଟ ନମ୍ବର ଜାଣିନଥିବା ଲୋକେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଜମାଖାତା ଓ ଆକାଉଣ୍ଟ ନମ୍ବର ଯୋଗାଇ ଦେବାକୁ ଦାବି କରିଛନ୍ତି ।