ତିହିଡି,୧୮/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଅବିଭିକ୍ତ କୋହ୍ଲ ପଞ୍ଚାୟତରୁ ଅଲଗା ହୋଇ ଗତ ୨୦୧୭ରେ ନୂତନ ଭାବେ ଗଠିତ ଫତେପୁର ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଲାଗି ଶେଷରେ ତହସିଲ ପ୍ରଶାସନ ଜମି ଚିହ୍ନଟ କରିଛି । ଦୀର୍ଘ ଦିନର ବାଦବିବାଦ, ଆନେ୍ଦାଳନ ଓ ନ୍ୟାୟିକ ଲଢେଇ ପରେ ଏହା ସମ୍ଭବ ହୋଇଥିବା ପଞ୍ଚାୟତର ସରପଞ୍ଚ ପ୍ରଦୀପ ବଳ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଏହି ଘଟଣାକୁ ନେଇ ଧାମନଗରର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀ ବି ଗତ ୨୦୨୨ରେ ବିଧାନସଭାରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ଶ୍ରୀ ବଳ କହିଛନ୍ତି । ତେବେ ଏସବୁର ଏବେ ଅନ୍ତ ଘଟିଛି । ଆଜି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ଏସଡିପିଓ ତ୍ରିଲୋଚନ ସେଠୀ, ଆଇଆଇସି ପ୍ରସନ୍ନ କୁମାର ନାୟକ, ପଞ୍ଚାୟତର ସରପଞ୍ଚ ଶ୍ରୀ ବଳ ଓ ପିଇଓ ଶୁଭ୍ରାଂଶୁ ଶେଖର ତ୍ରିପାଠୀ ପ୍ରମୁଖଙ୍କ ସମେତ ଆବଶ୍ୟକ ପୋଲିସ ଫୋର୍ସ ଉପସ୍ଥିତ ରହି ଫତେପୁର ମୌଜାର ଖାତା ନଂ-୯୮୨ ପ୍ଲଟ ନଂ-୯୦୪ (ଉନ୍ନତ ଯୋଜନା ଯୋଗ୍ୟ)ର ୨୫ ଡେସିମିଲ ଓ ପ୍ଲଟ ନଂ-୯୦୯(ଶାରଦ ଦୋଫସଲି)ର ୬ଡେସିମିଲ ଜାଗା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଲାଗି ଚିହ୍ନଟ କରିଥିବା ଜଣାଯାଇଛି । ଜମି ଚିହ୍ନଟ ପରେ ସିମେଣ୍ଟ ଖୁଣ୍ଟ ଓ ତାରଜାଲି ଲଗାଯାଇ ଉକ୍ତ ସ୍ଥାନଟିକୁ ଆବଦ୍ଧ କରାଯାଇଛି । ଏଠାରେ ସୂଚାନାଯୋଗ୍ୟ ଯେ, ଉକ୍ତ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରାଯାଉ ବୋଲି ସରପଞ୍ଚ ଶ୍ରୀ ବଳଙ୍କ ସମେତ ପଞ୍ଚାୟତବାସୀ ଦାବି କରି ଆସୁଥିଲେ ।