ନୂଆପଡ଼ା – ୧୭/୧୨ (ସୁରେନ୍ଦ୍ର ତିୱାରୀ) ଉପାନ୍ତ ଅବହେଳିତ ହରିଜନ ଆଦିବାସୀ ବହୁଳ ନୂଆପଡା ଜିଲ୍ଲାରୁ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଦାଦନ ସର୍ଦ୍ଦାର ଏବେ ଜିଲ୍ଲାର ୫ଟି ବ୍ଲକ ଓ ୩ଟି ଏନ୍.ଏ.ସି. ଅଞ୍ଚଳ ରେ ସକ୍ରିୟ ହୋଇ ପଡ଼ିଛନ୍ତି । ସର୍ଦ୍ଦାରମାନେ ନିଜନିଜର ଶ୍ରମିକଦଲାଲ ମାନଙ୍କ ମାଧ୍ୟମରେ ଶ୍ରମିକ ମାନଙ୍କୁ ଏକତ୍ର କରି ରାଜ୍ୟ ବାହାରକୁ ନେଉଥିବା ବେଳେ ଏବେ ପ୍ରାୟ ଗାଁ ଦାଣ୍ଡ ସବୁ ଖାଲି ହୋଇ ପଡ଼ୁଛି । ଅପରପକ୍ଷେ ଜିଲ୍ଲାରୁ କିପରି ଶ୍ରମିକ ଚାଲାଣ ବନ୍ଦ ହେବ ଓ ନିଜ ଅଞ୍ଚଳରେ ରୋଜଗାର କରିପାରିବେ ସେନେଇ ପଞ୍ଚାୟତ ସ୍ତରରେ ନିଜେ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଥିଲେ ମଧ୍ୟ ଶ୍ରମିକ ଚାଲାଣକୁ ରୋକି ପାରୁନଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ କୁ ବେଖାତିର କରିବା ସହ ଖୁଲମଖୁଲା ଚ୍ୟାଲେଞ୍ଜ କରି ଶ୍ରମିକ ଦଲାଲ ମାନେ ଶ୍ରମିକ ନେଉଥିବା ନଜିର କୁ ଆସିଛି l ଶ୍ରମିକ ଚାଲାଣ ରୋକିବାପାଇଁ ନିଜେ ଜିଲ୍ଲାପାଳ ପ୍ରତ୍ୟେକ ଗାଁ ଗାଁ ଯାଇ ସଚେତନତା ପାଇଁ ପ୍ରବାସୀ ଶ୍ରମିକ ଶିବିର ଆୟୋଜନ କରୁଥିବାବେଳେ ଏଠି ସିନାପାଲି ପୋଲିସ ଷ୍ଟେସନ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ବିଜୁ ଏକ୍ସପ୍ରେସ ୱେ ରେ ଖୋଲାଖୁଲି ଶ୍ରମିକ ଚାଲାଣା କରାଯାଉଥିବା ଆଶ୍ଚର୍ଯ୍ୟ ଚକିତ କରୁଛି l ସେହି ଭଳି ଜିଲ୍ଲା ସଦର ମହକୁମା ଠାରୁ ୧୦ କିଲୋମିଟର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଉପରୁ ବସ ଯୋଗେ ଦାଦନଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଶ୍ରମିକଚାଲାଣ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିବା ସହ ଏହାକୁ ରୋକିବାକୁ ଦାବି ହେଉଛି l ଅନ୍ୟପଟେ ଗାଁ ରେ ଶ୍ରମିକମାନଙ୍କୁ କାର୍ଯ୍ୟ ଅଭାବ ଓ କିଛି ଶ୍ରମିକଙ୍କୁ ସରକାରୀ କାର୍ଯ୍ୟ ମିଳିଥିଲେ ହେଁ ଦୀର୍ଘ ଦିନ ପରେ ମଧ୍ୟ ପାରିଶ୍ରମିକ ମିଳୁନଥିବା ନେଇ ଶ୍ରମିକ ରାଜ୍ୟ ବାହାରକୁ କାର୍ଯ୍ୟ ପାଇଁ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ଘରୁ ପରିବାର ସହିତ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେ଼ନର ଅଞ୍ଚଳର ଶ୍ରମିକମାନଙ୍କୁ ଦାଦନ ସର୍ଦ୍ଦାର ପ୍ରଥମ ନଜର ଦେଇଥିବା ବେଳେ ନିଜ ଦଲାଲମାନଙ୍କ ମାଧ୍ୟମରେ ସର୍ଦ୍ଦାର ନିଜ ଶ୍ରମିକ ଆଡ୍ଡାରେ ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରମିକଙ୍କୁ ଆଣି ସେଠାରେ ରଖି ବସ ମାଧ୍ୟମରେ ରାଜ୍ୟ ବାହାରକୁ ନେଉଛନ୍ତି । ଜିଲ୍ଲାରେ ଦାଦନ ସର୍ଦ୍ଦାର ଶ୍ରମିକ ପଞ୍ଜିକରଣ ୫୦ଜଣ କରୁଥିବା ବେଳେ ଚାଲାଣ ହେଉଛି ୧୦୦୦ ରୁ ଉର୍ଦ୍ଧ ଶ୍ରମିକ । ପଞ୍ଜିକରଣ ନକରି ବିଭିନ୍ନ କୌଶଳରେ ରାଜ୍ୟ ବାହାରକୁ ନେବାରେ ସଫଳ ହେଉଛନ୍ତି ସର୍ଦ୍ଧାର ମାନେ ।
ବିଳାସ ପୂର୍ଣ୍ଣ ବସ ଗୁଡିକୁ ତୀର୍ଥଯାତ୍ରା (ଟୁରିଷ୍ଟ) ବସ ଦେଖାଇ ବିଶେଷ କରି ସିନାପାଲି ଠାରେ ଠୁଳ କରି ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରୁଛନ୍ତି । ସିନାପାଲି ଥାନାରୁ ଦୁଇଶହ ମିଟର ଦୂରରେ ତିନିରୁ ଚାରି ଗୋଟି ବିଳାସ ପୂର୍ଣ୍ଣ ବସରେ ଦାଦନ ଶ୍ରମିକ ଚାଲାଣ ହେଉଛି ହେଲେ ସବୁ ଜାଣିଶୁଣି ମଧ୍ୟ ସିନାପାଲି ପୁଲିସ ପ୍ରଶାସନ ନିରବ ନେଇ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବ୍ଲକ ଅଞ୍ଚଳରେ ଚାଷ ପାଇଁ ଜଳ ସେଚନ ଅଭାବ ଶହ ସରକାରି କାର୍ଯ୍ୟ ମିଳୁନଥିବାରୁ ଶ୍ରମିକ ସର୍ଦ୍ଦାରଙ୍କ ଠାରୁ ନବାନ୍ନ ପର୍ବ ସମୟରେ ଅଗ୍ରୀମ ରୁପେ ମୋଟା ରକମ ଟଙ୍କା ନେଇ ଥିବା ରୁ ବର୍ତ୍ତମାନ ଘରୁ ବାଧ୍ୟ ହୋଇଗୋଡ କାଢୁଛନ୍ତି ଶ୍ରମିକମାନେ। ଶ୍ରମିକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଥିଲେ ମଧ୍ୟ ଶ୍ରମିକ ଏହି ଯୋଜନାରେ କୌଣସି ଲାଭ ପାଇପାରୁ ନାହିଁ ଯାହା ଫଳରେ ଜିଲ୍ଲା ପ୍ରଶାସନ ଗାଁ କୁ ଯାଇ ଯୋଜନା ବିଷୟରେ ବୁଝାଇ ଦାଦନ ନଯିବା ପାଇଁ ସଚେତନ କରୁଥିଲେ ମଧ୍ୟ ଏହା ଶ୍ରମିକ ଚାଲାଣକୁ ରୋକି ପାରୁନି ବୋଲି ବୁଦ୍ଧି ଯିବି ମହଲରେ ମତ ପ୍ରକାଶ ପାଇଛି । ଏନେଇ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଅବଗତ କରିବାରୁ ଜିଲ୍ଲାରେ ଶ୍ରମିକ ଚାଲାଣ ଉପରେ ସ୍ଵତ୍ରନ୍ତ ଦୃଷ୍ଟି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ସିନାପାଲି ପୁଲିସ ର ନୀରବତା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଶ୍ରମିକ ଚାଲଣା କରୁଥିବା ବସ ଗୁଡିକୁ ଅଟକ ରଖିବାକୁ ସାଧାରଣରେ ଦାବି ହେଉଛି l ଜିଲ୍ଲା ର ତିନିଗୋଟି ରେଳ ଷ୍ଟେସନ ଯଥା ଖରିଆର ରୋଡ, ନୂଆପଡ଼ା ଓ ଲଖନା ଠାରେ ଟ୍ରେନ ଯୋଗେ ପ୍ରତିଦିନ ସହ ସହ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବା ଦେଖା ଯାଉଛି। ଗତ କିଛି ଦିନ ତଳେ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ପୋଲିସ ରାତ୍ରୀ ରେ ଚଢାଉ କରି କେତେକ ଶ୍ରମିକ ଓ ସର୍ଦ୍ଧାର ଙ୍କୁ ନୂଆପଡ଼ା ରେଳ ଷ୍ଟେସନ ରୁ କାର ସହ ଗିରଫ କରିଥିଲେ। ଏପଟେ କେତେକ ଟାଉଟର ଓ ଠୁଠି ନେତା ଦାଦନ ଶ୍ରମିକ ଚାଲାଣ ରେ ସକ୍ରିୟ ଥିବା ବେଳ ପୋଲିସ ଏ ମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରି ତା ବଦଳ ରେ ମୋଟା ଅଙ୍କ ର ବଟି ପାଉଥିବା ଅଭିଯୋଗ ହେଉଛି ।