ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିର ୧ ନଂ.ବୁଲାଣି ରାସ୍ତାରେ ଶନିବାର ଦିନ ଟ୍ରକଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ ସମେତ ଅନ୍ୟ ଗାଡି ଗୁଡିକ ଅଟକି ରଖିଛି। ଉକ୍ତ ଜାତୀୟ ପଥ ଦେଇ ଦାରିଙ୍ଗବାଡି, ବାଲିଗୁଡା, ଭବାନୀପାଟଣା, ରାଇପୁରଠାରୁ ବ୍ରହ୍ମପୁରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସକାଳ ସମୟରେ ବ୍ରହ୍ମପୁର ମେଡିକାଲକୁ ଯାଉଥିବା ବ୍ୟକ୍ତି ମାନେ ଘାଟିରେ ଅଟକି ହଇରାଣ ହରକତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଉକ୍ତ ଘାଟି ରାସ୍ତା ଟି ଅଣ ଓସାରିଆ ରାସ୍ତା ହୋଇଥିବାବେଳେ ରାସ୍ତା ସମ୍ପ୍ରସାରଣ ହେବାରେ ଅହେତୁକ ବିଳମ୍ବ ହେଉଛି।
ପ୍ରାୟ ୭ ଶହ କୋଟି ଟଙ୍କା ଅନୁଦାନ ପାଇଁ ଗତବର୍ଷ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ କୌଣସି କାରଣରୁ ଉକ୍ତ ଘାଟି ସମ୍ପ୍ରସାରଣ ହୋଇପାରିନି। ପ୍ରାୟ ୧୫ କିମି ଘାଟି ରାସ୍ତାରେ କେବଳ ଅଙ୍କାବଙ୍କା ରାସ୍ତା ରହିଥିବାରୁ ସେହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଜାତୀୟ ରାଜପଥ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରୀଯାନ ନେବାକୁ ବାରଣ କରିବା ସହ ଘାଟି ପୂର୍ବରୁ ଉଭୟ ପଟୁ ବିଜ୍ଞାପନ ବୋର୍ଡ ଲଗାଇଛି। କିନ୍ତୁ କୌଣସି ଭାରୀଯାନ ମାନୁ ନ ଥିବା ଜଣାପଡିଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।