ରାୟଗଡା: ପୁଣି ଲଜ୍ଜିତ କଲା ଆଉ ଏକ ଶିଶୁ ବିକ୍ରି ଘଟଣା। ଅର୍ଥ ପାଇଁ ମାନବିକତାର ସବୁସୀମା ଉଲ୍ଲଙ୍ଘନ କରିଛନ୍ତି କିଛି ସ୍ବାର୍ଥ ମଣିଷ। ନୂଆପଡ଼ା ସାହିର ୯ ଦିନର ଶିଶୁ ବିକ୍ରି ଘଟଣା ମନରୁ ନ ଲିଭୂଣୁ ପୁଣି ଏକ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣାରେ ଶିଶୁ ସୁରକ୍ଷା କିଛି କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ କିଛି ସରକାରୀ କର୍ମଚାରୀ ସଂପୃକ୍ତ ରହିଥିବା ବେଳେ ଜନୈକ ଡାକ୍ତର ମଧ୍ଯ ସଂପୃକ୍ତି ସନ୍ଦେହ ଘେରରେ। ସୂଚନା ମୁତାବକ ଗୋଟିଏ ଛୁଆକୁ ଦୁଇ ଦୁଇଥର ଜନ୍ମ କରିବା ତାହା ମଧ୍ୟ ଦୁଇଟି ଭିନ୍ନ ମାଆଙ୍କ ଗର୍ଭରୁ ତାହାବି କିଛି ସରକାରୀ କର୍ମଚାରୀଙ୍କ ଉଦ୍ୟମରେ ଏଭଳି ଏକ କଳଙ୍କିତ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଡମ୍ବସରା ପଞ୍ଚାୟତର ଭୁଲୁଶୁଣ୍ଡା ଗ୍ରାମରେ । ତାରବେଲ୍ ଗ୍ରାମର ଅଙ୍ଗନୱାଡିଙ୍କ ୨୨/୦୫ /୨୦୨୪ ତାରିଖରେ ଗୁଣୁପୁର ସିଡିପିଓଙ୍କୁ ଦେଇଥିବା ଚିଠି ଖୁଲସା ହୋଇଥିବା ଘଟଣା ଅନୁଯାୟୀ ପୂଟାସିଂ ଗ୍ରାମର ତାରବେଲ୍ ଗ୍ରାମର ନାବାଳିକାଙ୍କ ଗର୍ଭରୁ ୧୫/୦୩/୨୦୨୪ଜାତ ଶିଶୁକୁ ୧୦ ଦିନ ପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଇତିହାସ ଗମାଙ୍ଗ ଏବଂ ଡଃ ସନ୍ଦିପ ସ୍ୱାଇଁଙ୍କ ସହାୟତାରେ ଡମ୍ବସରା ପଞ୍ଚାୟତର ଭୁଲୁଶୁଣ୍ଢା ଗ୍ରାମର ଅଷ୍ଟମୀ ଗମାଙ୍ଗ (ଛଦ୍ମନାମ)ଙ୍କୁ ବିକ୍ରି କରିଥିବା ଓ ଉକ୍ତ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତ୍ତିଙ୍କ ବିଷୟରେ ଉଲ୍ଲେଖ ରହିଛି । ଉକ୍ତ ଶିଶୁ ୧୫/୦୩/୨୪ରେ ପ୍ରକୃତ ମାଁ ଠାରୁ ଜନ୍ମ ଗ୍ରହଣ କରିଥିବା ବେଳେ ଭୁଲୁଶୁଣ୍ଢା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର ଉକ୍ତ ଶିଶୁର ଜନ୍ମ ରେଜିଷ୍ଟରରେ ୩୦ /୩/୨୪ ରେ ଜନ୍ମ ଗ୍ରହଣ କରିଥିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଖବର ପାଇବା ପରେ ଶିଶୁ ସୁରକ୍ଷା ବିଭାଗ ତରଫରୁ ଦୁଇ ମାସ ତଳେ ଦୁଇ ଦୁଇଥର ଉକ୍ତ ବେଆଇନ ଭାବେ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିବା ବେଆଇନ ପୋଷ୍ୟ ଦମ୍ପତ୍ତି ଘରକୁ ଯାଇ ତଦନ୍ତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରିପୋର୍ଟ୍ ତଲବ କରିନଥିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିବା ସହ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ଦେଖିବାର ଅଛି ଏହି ଶିଶୁ ବିକ୍ରି ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି ଓ ଜିଲ୍ଲା ପ୍ରଶାସନ ଏହାକୁ ନେଇ କେତେ ତତ୍ପରତା ଦେଖାଉଛି। କାରଣ ଏହି ଘଟଣାକୁ ନେଇ ଗତ ୨୦ ଦିନ ତଳେ ସୋସାଇଟୀ ଫର୍ ଫାଷ୍ଟ ଜଷ୍ଟିସ ନାମକ ସଙ୍ଗଠନ ତରଫରୁ ଏକ ଲିଖିତ ଅଭିଯୋଗ ରାୟଗଡ଼ା ଜିଲ୍ଲାପାଳଙ୍କୁ ଜଣାଇଥିବା ସୂଚନା ରହିଥିବା ବେଳେ ଜିଲ୍ଲାପାଳ ଏ ନେଇ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ କିଛି ସ୍ପଷ୍ଟିକରଣ ରଖି ନଥିବା ସୋସାଇଟୀ ଫର୍ ଫାଷ୍ଟ ଜଷ୍ଟିସର ସଦସ୍ୟ ସୂଚନା ଦେଇଛନ୍ତି। ଏ ନେଇ ବର୍ତ୍ତମାନ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହାର ଛାନଭିନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏନେଇ ଡିସିପିଓ ବିଚିତ୍ରା ସେଠିଙ୍କୁ ଯୋଗାଯୋଗ କରିଥିଲୁ ସେ କଲ ଗ୍ରହଣ କରିନଥିଲେ।