ରଣପୁର, ୧୮/୦୯ : ନୟାଗଡ ଜିଲ୍ଲା ରଣପୁରରେ ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ, ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଙ୍ଗଦ କୁମାର ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ | ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ବରିଷ୍ଟ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ଶିକ୍ଷକ ତଥା ସାହିତ୍ୟକ ପ୍ରଭାତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ | ଏଥିରେ ବ୍ଲକର ୧୮ ଟି କ୍ଲଷ୍ଟରରୁ ୨୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି, ସାର୍ଟିଫିକେଟ ଓ ପୁସ୍ତକ ଦିଆଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଏହା ସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟଫିକେଟ ଓ ପୁସ୍ତକ ପ୍ରଦାନ କରାଯାଇଥିଲା | ଶିକ୍ଷକ ତଥା କବି ମାନସ ପଟ୍ଟନାୟକ, କୈଳାଶ ଚନ୍ଦ୍ର ମାଝୀ, ଶକ୍ତି ପ୍ରସାଦ ଆଚାର୍ଯ୍ୟ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ ସି.ଆର.ସି.ସି., ବିଭିନ୍ନ ଶିକ୍ଷକ ସଙ୍ଘର କର୍ମକର୍ତ୍ତା, ଗୋପାଳପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଫିସ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |