ଭଞ୍ଜନଗର,୧/୯- ଆଖିରେ ଆଖିଏ ସ୍ବପ୍ନ ନେଇ ରାତିରେ ଖାଇପିଇ ସଭିଏଁ ଶୋଇ ଯାଇଥିଲେ। ଆଉ ସକାଳ ପାହିବା ପୂର୍ବରୁ ସେମାନଙ୍କ ସ୍ବପ୍ନ ସବୁ ଚୁରମାର ହୋଇଯାଇଥିଲା। ପୁଣି ଏକ ନୂଆ ସକାଳ ଦେଖିବା ଆଗରୁ ଆକସ୍ମିକ ଦୁର୍ଘଟଣାରେ ଚାଲିଗଲା ଏକ ନିଷ୍ପାପ କଳିକା। ମାତ୍ର ୨ ବର୍ଷର ଶିଶୁପୁତ୍ର ଟି ବାପା ମାଆଙ୍କ କୋଳରେ ନିର୍ବିଘ୍ନ ରେ ଶୋଇଥିବା ବେଳେ ହଠାତ୍ ମାଟି କାନ୍ଥ ଭୁଶୁଡି ଚାଲିଗଲା ଜୀବନ। ବାପା ମାଆଙ୍କ କୋଳ ଖାଲି କରି ଆରପାରିକୁ ଚାଲିଗଲା ୨ ବର୍ଷର ନିଷ୍ପାପ ସନ୍ତାନ।
ଏଭଳି ଏକ ଦୁଃଖଦ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତ ର ତୋଟା ସାହି ଗଦରା ବଞ୍ଜର ଠାରେ ଦେଖିବାକୁ ମିଳିଛି। ଗ୍ରାମର ବସନ୍ତ ପ୍ରଧାନ ଙ୍କ ସହ ପତ୍ନୀ ଭାଗ୍ୟ ଓ ୨ ବର୍ଷର ଶିଶୁପୁତ୍ର ରିଷି ଶନିବାର ରାତିରେ ଖାଇପିଇ ଶୋଇ ଯାଇଥିଲେ। ଆଉ ରାତିସାରା ବର୍ଷା ଲାଗି ରହିବା କାରଣରୁ ରବିବାର ଭୋର ୪ ଟା ରେ ହଠାତ୍ ଏମାନେ ଶୋଇଥିବା ଘରର ଏକ କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ ସଭିଏଁ ସେହି କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ। କଷ୍ଟ ମଷ୍ଟେ ସ୍ବାମୀ ସ୍ତ୍ରୀ ମାଟି କାନ୍ଥ ତଳୁ ବାହାରିଥିବା ବେଳେ ୨ ବର୍ଷର ପୁଅ ରିଷି ସେହି ମାଟି କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲା। ପରେ ପରିବାର ସଦସ୍ୟଙ୍କ ସହଯୋଗରେ ମାଟି କାନ୍ଥ ତଳୁ ରିଷି କୁ ଉଦ୍ଧାର କରି ତୁରନ୍ତ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ। ହେଲେ ଡାକ୍ତର ଏଠାରେ ରିଷି କୁ ମୃତ ଘୋଷଣା କରିଥିଲେ।
ଏସଂପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୩୫/୨୪ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସୂଚନାଯୋଗ୍ୟ ଯେ ଗତ ୨ ମାସ ତଳେ ବସନ୍ତଙ୍କ ଘର କୁ ହାତୀ ପଲ ଭାଙ୍ଗି ଦେଇଥିଲେ। ଘରର ୪ ବଖରା ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ସେହି ଭଙ୍ଗା ଦଦରା ଘରେ ହିଁ ପରିବାର ଚଳି ଆସୁଥିଲେ। ଆଉ ଶେଷରେ ଲଗାଣ ବର୍ଷା କାରଣରୁ ଘରର ଏକମାତ୍ର ପୁଅ ରିଷି ର ଜୀବନ ଚାଲିଗଲା। ଏହି ଅସହାୟ ପରିବାର କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ବାଇବାଲି ଗ୍ରାମବାସୀ ଦାବି କରିଛନ୍ତି।