ବେତନଟୀ : ବେତନଟୀ ଡାକ୍ତରଖାନାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଉଦଘାଟିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସିପୁନ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. ସୁଶୀଲ କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଫିତା କାଟି ଉଦଘାଟନ କରିଥିଲେ । ଏହି ଅବସରରେ ଦନ୍ତ ଚିକିତ୍ସକ ଡ. ବିଶ୍ୱଜିତ ଦ୍ବିବେଦୀ, ଶିଶୁ ବିଶେଷଜ୍ଞ ଡ. ଦେବୀରଞ୍ଜନ ଖୁଲାରଙ୍କ ସମେତ ଡ. ପୂର୍ଣିମା କର, ଆୟୂଷ ବିଭାଗର ଡ. ରାଜଶ୍ରୀ ସାହୁ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମଞ୍ଜୁଶ୍ରୀ ଦାସ, ବିପିଏମୟୁ ସସ୍ମିତା ଦାଶ, ଅମିତାଭ ଦାଶଙ୍କ ସମେତ ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ନର୍ସଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟରତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଣିକି ମାସକୁ ଗୋଟିଏ ଦିନ ଧାର୍ଯ୍ୟ ତାରିଖରେ ବେତନଟୀ ଡାକ୍ତରଖାନା ଅଧୀନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ କେନ୍ଦ୍ରରେ ମାସର ପ୍ରଥମ ସପ୍ତାହରୁ ତୃତୀୟ ସପ୍ତାହ ମଧ୍ୟରେ ସୋମବାର କିମ୍ବା ଗୁରୁବାର ଏହି ଶିବିରର ଆୟୋଜନ କରାଯିବ। ସେହିଭଳି ମାସର ପ୍ରଥମରୁ ତୃତୀୟ ସପ୍ତାହ ମଧ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ସୋମବାର ଏବଂ ଗୁରୁବାର ବ୍ୟତୀତ ଅନ୍ୟ ଏକ ଧାର୍ଯ୍ୟ ଦିନରେ ଶିବିରର ଆୟୋଜନ କରାଯିବ। ଅନୁରୂପ ଭାବେ ବ୍ଲକ ମୂଖ୍ୟାଳୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାସର ଶେଷ ଅର୍ଥାତ ଚତୁର୍ଥ ସପ୍ତାହରେ ଧାର୍ଯ୍ୟ ହୋଇଥିବା ତାରିଖରେ ଏହି ଶିବିରର ଆୟୋଜନ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତରଖାନା କର୍ମଚାରୀମାନେ ସକ୍ରିୟ ଦାୟିତ୍ଵ ସମ୍ପାଦନ କରିଥିଲେ ।