ବୁଗୁଡା : ତା ୦୧/୦୮/୨୪ : ବୁଗୁଡା ଥାନା ଅଧିନସ୍ଥ ଟଭାପଲ୍ଲୀ ଗ୍ରାମ ହରିଜନ ସାହିର ୬୫ ବର୍ଷୀୟ ବୃଦ୍ଧ ଅନ୍ତରା ନାୟକ ଜୁଲାଇ ୧୮ ତାରିଖ ସକାଳେ କରସିଙ୍ଗି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ତାଳସର ଜଙ୍ଗଲକୁ ବାଉଁଶ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନଥିବାରୁ ତାଙ୍କ ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ମିସିଙ୍ଗ୍ କେସ୍ ନଂ ୪୮/୨୪ରେ ଏକ ମାମଲା ରୁଜୁ କରିଥିଲା । ଅନ୍ଯପକ୍ଷରେ ପରିବାର ଲୋକେ ସାହିବାସିନ୍ଦାଙ୍କ ସହ ମିଶି ଜଙ୍ଗଲରେ ବହୁତ ଖୋଜାଖୋଜି ପରେ ରାସ୍ତାରେ ଅନ୍ତରା ସାଥିରେ ନେଇଥିବା ଖାଦ୍ୟ ଏବଂ ହାତରେ ଧରିଥିବା ବାଡିଟି ପଡିଥିବାର ଦେଖିବାକୁ ପାଇଥିଲେ । ଫଳରେ ଅନ୍ତରା ହିଂସ୍ରଜନ୍ତୁଙ୍କ ଆକ୍ରମଣ କିମ୍ବା ଅନ୍ୟ କୌଣସି ଅପ୍ରତ୍ୟାଶିତ ଘଟଣାର ଶିକାର ହୋଇଥିବାର ନେଇ ପରିବାର ପକ୍ଷରୁ ସନ୍ଦେହ କରାଯାଇଥିଲା । ନିଖୋଜ ବୃଦ୍ଧଙ୍କ ପତ୍ନୀ ଥାନା ସମ୍ମୁଖରେ ବୁକୁଫଟା ଚିତ୍କାର କରି କାନ୍ଦ ବୋବାଳି କରିବା ପରେ ଘଟଣାର ଅନୁସନ୍ଧାନ କରିବ ବୋଲି ଆଶ୍ବାସନା ଦେଇଥିଲା । ଏ ମଧ୍ଯରେ ୧୨ ଦିନ ବିତିଯାଇଥିଲେ ମଧ୍ଯ ପୋଲିସ ପାଖରେ ବୃଦ୍ଧଙ୍କ ସମ୍ପର୍କରେ କୌଣସି ତଥ୍ୟ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା ।
ତେବେ ଗତକାଲି ତହସିଲଦାର ତାପସ ରାଉତ , ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି , ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ପୋଲିସ ଓ ବନ ବିଭାଗ କର୍ମଚାରୀମାନେ ବୃଦ୍ଧ ନିଖୋଜ ହୋଇଥିବା ଜଙ୍ଗଲର ଏଣେ ତେଣେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ପାଇନପାରି ନିରାଶ ହୋଇ ଫେରିଥିଲେ । ଅନ୍ୟପକ୍ଷରେ ନିଖୋଜ ଅନ୍ତରା ବାଘର ଶିକାର ହୋଇଥିବା ସନ୍ଦେହ କରି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଜଙ୍ଗଲରେ ବାଘର ଉପସ୍ଥିତି ନେଇ ବନ ବିଭାଗ ପାଖରେ କୌଣସି ସ୍ପଷ୍ଟ ସୂଚନା ନଥିବା ଏବଂ ପୋଲିସର ତଦନ୍ତ ଦିଗହରା ହୋଇଥିବା ଯୋଗୁଁ ପ୍ରଶାସନ ହରଡଘଣାରେ ପଡିଥିବା ବେଳେ ବୃଦ୍ଧଙ୍କ ନିଖୋଜ ଖବର ସାଧାରଣରେ ରହସ୍ଯମୟ ହୋଇ ରହିଥିବା ଜଣାଯାଇଛି ।