କଣାସ : ପୁରୀ ଜିଲ୍ଲା କଣାସ ବ୍ଳକ୍ ଗଡିଶାଗୋଦା ଥାନା ଅନ୍ତର୍ଗତ ସାହାସପୁରୁ ଗ୍ରାମର ନିକଟ ଧାନ ଜମିରେ ହୁତୁ ହୂତୁ ହୋଇ ଜଳି ପୋଡି ପାଉଁଶ ହୋଇଗଲା ଅମଳ ଧାନ । ସାହାସପୁରୁ ଗ୍ରାମର ଗଦାଧର ପ୍ରଧାନଙ୍କ ଦୁଇ ମାଣରୁ ଉର୍ଦ୍ଧ ଜମିରେ କଟା ହୋଇଥିବା ଧାନ ଏବଂ ନିରଞ୍ଜନ ପ୍ରଧାନଙ୍କ ଅମଳ ହୋଇଥିବା ୧୦ ବସ୍ଥାରୁ ଉର୍ଦ୍ଧ୍ବ ଧାନ ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି।ଜମି ମାଲିକ ବିଲ କାମ ସାରି ଘରକୁ ଖାଇବା ପାଇଁ ଯିବା ପରେ କେହି ଦୁର୍ବୃତ୍ତ ଜମିରେ ନିଆଁ ଲଗେଇ ଦେଇଥିବା ନିରଞ୍ଜନ ଓ ଗଦାଧର ସନ୍ଧେୟ ପ୍ରକଟ କରି ଅଭିଯୋଗ କରିଛନ୍ତି ।ବର୍ଷଜାକର ଅମଳ ହୋଇଥିବା ଧାନ ଜମିରେ ଜଳି ପୋଡ଼ି ପାଉଁଶ ହୋଇଥିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବା ସହ ଧାନ ଜଳି ପୋଡି ଛାରଖାର ହୋଇଥିବାରୁ ପୋଡ଼ା ଧାନକୁ ଧରି ବିକଳ ବାହୁନି କାନ୍ଦୁଚି ଚାଷୀ । ସେପଟେ ଗ୍ରାମବାସୀ ମିଶି ନିଆଁ ଲିଭାଇଥିଲେ ମଧ୍ୟ ସବୁ କିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ସରକାରଙ୍କ ପକ୍ଷରୁ ତଦନ୍ତ କରି ଉକ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।