ମୋରଡା ନିର୍ବାଚନ ମଣ୍ଡଳୀର ବିଜେଡି ଅଙ୍କ ବିଗୁଡୁଛି, ବିଜେଡିରୁ ଇସ୍ତଫା ଦେଲେ ବିଜୁ ଯୁବ ଉତ୍ତର ଓଡିଶା ଜୋନ୍ ସାଧାରଣ ସମ୍ପାଦକ ସୌରଭ
ବାରିପଦା : ନିର୍ବାଚନ ଯେତିକି ପାଖଉଛି ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀର ରାଜନୈତିକ ଗଣିତ ସେତିକି ବିଗୁଡୁଛି । ବିଶେଷ କରି ମୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଆଘାତ ଲାଗୁଛି । ସୋମବାର ମୋରଡା ନିର୍ବାଚନ ମଣ୍ଡଳୀର ଟାଣୁଆ ଯୁବନେତା ତଥା ଉତ୍ତର ଓଡିଶା ଜୋନ୍ର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ସୌରଭ ରଞ୍ଜନ ମହାନ୍ତି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୌରଭ ମୋରଡା ନିର୍ବାଚନ ମଣ୍ଡଳୀରେ ଜଣେ ଦକ୍ଷ ଯୁବ ସଂଗଠକ ଭାବେ ସବୁଠି ଆଦୃତ ଥିଲେ । ଏଠାରେ ସୂଚାନଯୋଗ୍ୟ ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ ମୋରଡା ବିଧାୟକ ରାଜ କିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍ଗୋଙ୍କୁ ବିଜେଡି ପାର୍ଥୀ ଭାବେ ଘୋଷଣା କରିଛି । ଏହି ଘୋଷଣା ପରେ ଗତ କିଛିଦିନ ତଳେ ମୋରଡା ନିର୍ବାଚନ ମଣ୍ଡଳୀର ବିଜେଡିର ହେବିୱେଟ୍ ନେତା କୃଷ୍ଣଚନ୍ଦ୍ର ଦାସ ବିଜେଡିରୁ ଇସ୍ତଫା ଦେଇ ତାଙ୍କ ସମର୍ଥକଙ୍କ ସହ ଜେଏମଏମରେ ଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେଡିର ନେତା ଓ କର୍ମୀଙ୍କୁ ଏକଜୁଟ୍ କରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ନ କରିଲେ ଏହା ବିଜେଡି ପାଇଁ ମହଙ୍ଗା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।