ବାରିପଦା : ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ବିଜେଡିର ହେବିୱେଟ୍ ନେତା ସୁଦାମା ମାର୍ଣ୍ଡିଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡିଙ୍କୁ ପାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଓ ଅନ୍ୟ ସମସ୍ତ ବିଧାନସଭା ପାଇଁ ବିଜେଡି ପାର୍ଥୀ ଘୋଷଣା କରିଥିବାବେଳେ କେବଳ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କିଏ ପାର୍ଥୀ ହେବ ନେଇ ଅଙ୍କ ଛିଡୁନଥିଲା । ଚଳିତ ସାଧାରଣ ନିର୍ବାଚନରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ବିଜେଡି ମୟୂରଭଞ୍ଜ ଲୋକସଭା ପାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ସୁଦାମଙ୍କ ଢେର ଦବଦବା ଥିବାରୁ ସୁଦାମ ଲୋକସଭା ପାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବାରୁ ବାଙ୍ଗିରିପୋଷିରେ ନିଜ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡିଙ୍କୁ ପାର୍ଥୀ କରିବାକୁ ମୂଳରୁ ଅଡି ବସିଥିଲେ । ଶେଷରେ ବିଜେଡି ସୁପ୍ରିମୋ ସୁଦାମଙ୍କ ମତ ଉପରେ ମହର ଲଗାଇଛନ୍ତି । ରଞ୍ଜିତା ଶିକ୍ଷୟିତ୍ରୀରୁ ଗତ କିଛି ମାସ ତଳେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବାବେଳେ ସେ ଜଣେ ଲୋକପ୍ରିୟ ଓ ଉଚ୍ଚଶିକ୍ଷିତ ମହିଳା ଭାବେ ସବୁରୀ ମହଲରେ ଆଦୃତ ଅଟନ୍ତି ।