୩୨ଦିନ ଧରି ଗଣଧାରଣାରେ ବସିଥିବା ଶିକ୍ଷକମାନଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇଛନ୍ତି ଶିକ୍ଷକ ସମାଜ: ବିଜେପି
ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଛାତ୍ର ସମାଜର ବିକାଶ ବିରୋଧୀ ଅଟେ ସମ୍ବେଦନହୀନ ରାଜ୍ୟ ସରକାର
ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ଯଥାଶୀଘ୍ର ପୂରଣ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ତା.୦୯/୦୩ : ରାଜ୍ୟ ସରକାର ସବୁବେଳେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଆସିଛି । ନାହିଁ ନାହିଁର ସରକାରରେ “ବିଦ୍ୟାଳୟ ନାହିଁ”, “ଶିକ୍ଷକ ନାହିଁ”, “ନୂଆ ଶିକ୍ଷକ ନିଯୁକ୍ତି ନାହିଁ” । ରାଜ୍ୟ ସରକାର ଓଡ଼ିଆଙ୍କୁ ଅଶିକ୍ଷିତ କରି ରଖିବାକୁ ପଣ କରିଛି । ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କ ପାଇଁ ବି ବୈମାତୃକ ମନୋଭାବ । ୫-ଟିର ଗପ ଶୁଣାଉଥିବା ସରକାର “ବାକ୍ୟ ବୀରର ଖୋଳପାରେ ଏକ ମସ୍ତବଡ ପ୍ରବଚଂକ” । ଅସମ୍ବେଦନଶୀଳ ସରକାର ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ପରିବର୍ତେ ସମାଜର ମାର୍ଗଦର୍ଶକ ଶିକ୍ଷକସମାଜକୁ ମାନସିକ ନିର୍ଯ୍ୟାତନା ଦେଇଆସିଛି । ‘ନୂଆ-ଓ’ ମାଧ୍ୟମରେ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଓ ଛାତ୍ର ସମାଜର ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଶିକ୍ଷକମାନଙ୍କ ଜୀବନ ଓ ଜୀବିକା ସହ ଖେଳ ଖେଳୁଛି, ଯାହା ସ୍ପଷ୍ଟ ହେଉଛି ରାଜଧାନୀର ଲୋଏର ପିଏମ୍ଜିରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ନେତୃତ୍ୱରେ ଗତ ୩୨ଦିନ ଧରି ଭୋକ ଉପାସରେ ଗଣଧାରଣାରତ ଶିକ୍ଷକମାନଙ୍କୁ ଦେଖି । ଆଜି ଏହି ଶିକ୍ଷକମାନଙ୍କୁ ଭେଟି ସେମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଛି ବିଜେପି । ଶିକ୍ଷକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧିମଣ୍ଡଳୀ ଗଣଧାରଣା ସ୍ଥଳକୁ ଯାଇ ଶିକ୍ଷକମାନଙ୍କ ଦୁଃଖ ବୁଝିବା ସହ ସେମାନଙ୍କର ଦାବିଗୁଡିକ ବୁଝିଥିଲେ ଓ ଶିକ୍ଷକମାନଙ୍କ ସମସ୍ତ ଦାବି ଯଥାର୍ଥ ବୋଲି ଜାଣିବା ପରେ ସରକାର ତୁରନ୍ତ ଏଗୁଡିକୁ ପୂରଣ କରି ସେମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ଦୃଢ଼ ଦାବି କରିଛନ୍ତି ।
୧୯୯୪ ଅନୁଦାନ ଆଇନରୁ ବାଦ୍ ପଡିଥିବା ବିଦ୍ୟାଳୟ ଗୁଡିକୁ ଅନୁଦାନ ଦେବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳୀ ସହ ପେନ୍ସନ ପ୍ରଦାନ, ୧୯୯୪ରୁ ଅଦ୍ୟାବଧି ୨୨୬ ବିଦ୍ୟାଳୟ ଓ ୨୦୨୩ରେ ଯୋଗ୍ୟ ବିବେଚିତ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ୨୦୦୪-୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କର ୬ଟି ଦରମା ଇନକ୍ରିମେଂଟ ସହ ବରିଷ୍ଠତା ପ୍ରଦାନ, ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଫିସ ସହାୟକମାନଙ୍କର ଯୋଗ୍ୟତା ଭିତିକ ପଦନ୍ନୋତି ସହିତ ଉଚ୍ଚତର ଗ୍ରେଡ ପେ ଆଦି ଦାବିରେ ଗତ ୩୨ଦିନ ହେବ ଶିକ୍ଷକମାନେ ଗଣଧାରଣାରେ ବସିଛନ୍ତି; ମାତ୍ର ସରକାରଙ୍କ ଶିକ୍ଷା ବିଭାଗର କେହି ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ଗଣଧାରଣା ସ୍ଥଳକୁ ନଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ବାର୍ତ ସଂପାଦକ ତଥା ପୂର୍ବତନ ଉଚ୍ଚଶିକ୍ଷା ଉପନିଦେ୍ର୍ଦଶକ ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ଅତିରିକ୍ତ ନିଦେ୍ର୍ଦଶକ ମାଧ୍ୟମିକ ଶିକ୍ଷା ଡ. ପ୍ରୀତିପ୍ରତିଭା ଭୋଳ, ଡ.ରାଜେଶ୍ୱରୀ ପାଇକରାୟ, ଅଜିତ୍ ଦାସ ଓ ଦୀପେନ୍ଦ୍ର ନାଥ ଝା ପ୍ରମୁଖ ଉପସ୍ଥିତ ଥିଲେ ।