ପାରାଦୀପ : ବଢିଲା ଜାହାଜ ଦେବୀ ର ଅଡୁଆ | 220 କୋଟି ଟଙ୍କା ର କୋକେନ ଆଣି ଖସି ଯିବାକୁ ବସିଥିବା ଏମ ଭି ଦେବୀ ଜାହାଜ ପୁଣି ଆଇନ ର ଜାଲରେ ଛନ୍ଦି ପଡିଚି | ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ କଟକ ଏମ.ଭି. ଦେବୀ ନାମକ ଜାହାଜକୁ ପାରାଦୀପ ବନ୍ଦରରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗତ କିଛି ଦିନ ତଳେ କୁଜଙ୍ଗ କୋର୍ଟ ରେ କୋକେନ ମାମଲା ର ବିଚାର କରି 100 କୋଟି ର ବ୍ୟାଙ୍କ୍ ଗ୍ୟାରେଣ୍ଟି ଓ 110 କୋଟି ଟଙ୍କାର ଇଣ୍ଡିମେଣ୍ଟ ବଣ୍ଡ ପ୍ରଦାନ ପରେ ଜାହାଜ ପାରାଦୀପ ଛାଡି ପାରିବ ବୋଲି ନିର୍ଦ୍ଦେଶ ହୋଇଥିବା ବେଳେ ଏବେ ଆଉ ଏକ ନୂତନ ମାମଲା ରେ ଛନ୍ଦି ହୋଇ ପଡ଼ିଛି ଏହି ଜାହାଜ | ବନ୍ଦରରେ ଜାହାଜ ଅଟକିବା ସ୍ଥାନ (ବର୍ଥ) ଭଡା ଓ ଅନ୍ୟାନ୍ୟ ଦେୟ ଅସୁଲ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ( ପି ଆଇ ସି ଟି ) ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାହାଜ କୁ ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସଂପର୍କିତ ମୂଳ ମାମଲାର ମାର୍ଚ୍ଚ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥାର ବର୍ଥରେ ଏମ.ଭି.ଦେବୀ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦିନ ରହିବା ବାବଦ ଦେୟକୁ ନେଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି। ଏଥିରେ ଏମ.ଭି.ଦେବୀ ନିକଟରୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଆଦାୟ କଥା ଉଲ୍ଲେଖ କରାଯାଇଛି। ଆହୁରି କୁହାଯାଇଛି, ବର୍ଥ ଭଡା, ଜରିମାନା, ସୁଧ, ଆଇନଗତ ବ୍ୟୟ ଓ ଅନ୍ୟାନ୍ୟ ପ୍ରାପ୍ୟ ବାବଦରେ ଉପରୋକ୍ତ ଅର୍ଥ ରାଶି ଜାହାଜରୁ ଆବେଦନକାରୀ ସଂସ୍ଥା ପାଇବା କଥା। ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆଡମିରାଲ୍ଟି (ଜୁରିସଡିକ୍ସନ୍ ଆଣ୍ଡ ସେଟେଲମେଣ୍ଟ ଅଫ୍ ମାରିଟାଇମ୍ କ୍ଲେମ୍ସ) ଆଇନ ୨୦୧୭ ଅନୁସାରେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଫେବ୍ରୁଆରି ୨୧ରେ ହାଇକୋର୍ଟ ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜ ଏମ.ଭି.ଦେବୀରୁ ୨୦୨୩, ନଭେମ୍ବର ୩୦ ରାତି ଓ ଡିସେମ୍ବର ୧ରେ ୨୨ଟି ପ୍ୟାକେଟରେ ଥିବା କୋକେନ ଜବତ ହୋଇଥିଲା। ସବୁଠାରୁ ବଡ କଥା ହେଉଛି ଏବେ ବି ଜାହାଜ କୁ କିଏ କୋକେନ ଆଣିଥିଲା ତାହା ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରି ପାରିନି | ଏତେଦିନ ପରେ ବି ଜାହାଜ ର 21 କ୍ରିୟୁ ସଦସ୍ୟ ଙ୍କ ମଧ୍ୟରୁ କେହି ନିଜ ଦୋଷ ସ୍ୱୀକାର କରି ନଥିବା ବେଳେ ଜାହାଜ ଭିତରକୁ କୋକେନ କିଭଳି ଆସିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜାହାଜ ଗିରଫ ହେବାପରେ ଏବେ ଜାହାଜ ମଧ୍ୟରେ ଥିବା 21 ଜଣ ଭିଏତନାମ ନାଗରିକ କୁଆଡେ ଯିବେ ତାହା ମଧ୍ଯ ଅସ୍ପଷ୍ଟ |
