Odisha news

ଯଶିପୁର ଓ ଉଦଳା ଠାରେ ଜୈବ ବିବିଧତା ପରିଚାଳନା କମିଟି ଗୁଡିକର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0

ବାରିପଦା  : ଓଡିଶା ଜୈବ ବିବିଧତା ବୋର୍ଡ, ଭୁବନେଶ୍ୱର ଓ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ସ୍ୱରାଜ ର ମିଳିତ ସହଯୋଗରେ ଶୁକ୍ରବାର ଯଶିପୁର ସ୍ଥିତ ଅଙ୍ଗାରପଦା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଏବଂ ଶନିବାର ଉଦଳା ସ୍ଥିତ ସେହ୍ନ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜୈବ ବିବିଧତା ପରିଚାଳନା କମିଟି ଗୁଡିକର ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ବିଷୟବସ୍ତୁ “ଜନ ଜୈବବିବିଧତା ପଞ୍ଜିକା” ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡଃ ଦୀପକ କୁମାର ମହାନ୍ତି, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ବିଭାର ମୁଖ୍ୟ ଡଃ ସୃଷ୍ଟିଧର ରାଉତ, ଜୈବ ବିବିଧତା ବୋର୍ଡର ପ୍ରାଣୀ ବୈଜ୍ଞାନିକ ଡଃ ସତ୍ୟରଞ୍ଜନ ବେହେରା, ଡଃ ଶୁଭ୍ରାଂଶୁ କୁମାର ନାୟକ ଓ ଗ୍ରାମ ସ୍ୱରାଜର ସମ୍ପାଦକ ଦୀପକ କୁମାର ପାଣି ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ମହାନ୍ତି କୃଷି ଜୈବ ବିବିଧତା ସମ୍ପର୍କରେ ଆଲୋଚନା କରିଥିବାବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମୁଖ୍ୟ ଡଃ ରାଉତ ପ୍ରାଣୀ ଜୈବବିବିଧତା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଜୈବ ବିବିଧତା ବୋର୍ଡର ପ୍ରାଣୀ ବୈଜ୍ଞାନିକ ଡଃ ବେହେରା ପ୍ରାଣୀ ଜୈବ ବିବିଧତା ଓ ସମାଜ ତିଷ୍ଠି ରହିବା ପାଇଁ ସେଗୁଡିକର ଆବଶ୍ୟକତା ଏବଂ ଜୈବ ବିବିଧତାର ସଂରକ୍ଷଣ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଡଃ ନାୟକ ଜୈବ ସମ୍ବଳର ଉପଯୋଗ ଏବଂ ଜୈବ ସମ୍ବଳରୁ ମିଳୁଥିବା ଲାଭର ଉତ୍ତମ ବଣ୍ଟନ ତଥା ଜୈବ ବିବିଧତା ପରିଚାଳନା କମିଟି ଗୁଡିକର ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଅପରପକ୍ଷରେ ଗ୍ରାମ ସ୍ୱରାଜ ସମ୍ପାଦକ ଦୀପକ କୁମାର ପାଣି ବିପଦଗ୍ରସ୍ତ ଥିବା ଜୈବ ସମ୍ପଦ ତଥା ଅବଲୁପ୍ତ ହୋଇଯାଉଥିବା ଜାତି, ପ୍ରଜାତିର କିପରି ସଂରକ୍ଷଣ କରାଯାଇ ପାରିବ ସେ ନେଇ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର, ନୂଆଗାଁ, ଦୁଗ୍ଧା, ବଡସିଙ୍ଗାରିଆ ଗ୍ରାମପଞ୍ଚାୟତ, କପ୍ତିପଦା ବ୍ଲକର ମାଙ୍କଡପଦା, ଶାଳଚୂଆ, ନୋଟ, କୋଳିଆଳାମ, ରାମଚନ୍ଦ୍ରପୁର, ଜେ.ଏସ ଜାମୁଡିହା, କଳମଗଡିଆ ଗ୍ରାମପଞ୍ଚାୟତ, ଶ୍ୟାମାଖୁଣ୍ଟା ବ୍ଲକର କଳାପଥର ଗ୍ରାମପଞ୍ଚାୟତ ଏବଂ ଖୁଣ୍ଟା ବ୍ଲକର ଲକ୍ଷ୍ମଣାସାହି ଗ୍ରାମପଞ୍ଚାୟତ, ଯଶିପୁର ବ୍ଲକର ପୋଡାଗଡ, ଦୁର୍ଦ୍ଦୁରା, ଧଳାବଣୀ, ଅସ୍ତକୁଆଁର, ବରେହିପାଣି, ଗୁଡଗଡିଆ ଓ ମାଟିଆଗଡ ଗ୍ରାମପଞ୍ଚାୟତ ଏବଂ ଠାକୁରମୁଣ୍ଡା ବ୍ଲକର ଚମ୍ପାଝର, ଜରକ, ସଲେଇବେଡା, ସାତକୋଶିଆ ଓ ଖଣ୍ଡାବନ୍ଧ ଗ୍ରାମପଞ୍ଚାୟତର ଜୈବ ବିବିଧତା ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଦୀପ କୁମାର ବେହେରା, ସତ୍ୟବ୍ରତ ବାରିକ, ହୃଷିକେଶ ନାଏକ ଓ ଯୋଗେନ୍ଦ୍ର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ସ୍ୱରାଜ ସମ୍ପାଦକ ଦୀପକ କୁମାର ପାଣି ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply