ତେଲେଙ୍ଗାପେଣ୍ଠ : କଟକ ମହାନଗର ନିଗମ ୫୯ ନଂ ୱାର୍ଡ ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି।କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯାଇଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ଅବସରରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଗ୍ରାମାଞ୍ଚଳ ମାନଙ୍କର ସାମଗ୍ରୀ ଏହି ମେଳାରେ ବିକ୍ରୟ କରାଯିବା ସହ ସ୍ଥାନୀୟ ଲୋକଙ୍କର ଆର୍ଥିକ କାରବାର ମଧ୍ୟ ବୃଦ୍ଧି ପାଇବା ଆଶା ନେଇ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଉଦ୍ୟମରେ ଏହି ମେଳା ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟାଳୟ ସହ ଭାଗିତାରେ ଅନୁଷ୍ଠିତ ହେଉଛି। ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଯୋଗଦେଇ ଥିଲେ।ଶ୍ରୀ ବିଧାୟକ ଏବଂ ବରେଣ୍ୟ ଅତିଥିଙ୍କ ସହ ସ୍ମୃତି ପୀଠରେ ଅବସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।ସଦର ଉପଜିଲ୍ଲାପାଳ କମଲଜିତ ଦାସ,ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଶୁଭାରମ୍ଭ ଅବସରରେ ଯୋଗଦେଇ ଥିଲେ।ଶୁଭାରମ୍ଭ ଅବସରରେ ଜିଲ୍ଲା ପରିଷଦ ଉପସଭାପତି ସୁଭଦ୍ରା ଦାସ, ସ୍ମୃତି ସଂସଦ ସଭ୍ୟ ପୀତବାସ ମହାପାତ୍ର,ବରିଷ୍ଠ ନାଗରିକ ବନମାଳୀ ଦାସ,୫୭ ନଂ ୱାର୍ଡ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ,୪ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଆଶାଲତା ବେହେରା, ପୂର୍ବତନ କର୍ପୋରେଟର ତଥା ସ୍ମୃତି ସଂସଦର ସଭ୍ୟ ପ୍ରମୋଦ ମହାପାତ୍ର, ଉରାଳୀ ସରପଞ୍ଚ ଇଂ ଅଭିଷେକ ବେହେରାଙ୍କ ସମେତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି ମେଳାରେ ୮୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଷ୍ଟିଲ ସ୍ଥାନ ପାରିବା ସହ ସନ୍ଧ୍ୟାରେ ଚଟପଟି ଖାଦ୍ୟ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକ ମାନଙ୍କ ମନରେ ଆନନ୍ଦ ଭରି ଦେଉଛି।