ବାରିପଦା : କଲକାତା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ବାରିପଦାର ଦୀପକ କୁମାର ବେଶ୍ରାଙ୍କ ନିଦେ୍ର୍ଦଶିତ ସାନ୍ତାଳୀ କ୍ଷୁଦ୍ର ଚଳଚିତ୍ର ପପାୟା ଶ୍ରେଷ୍ଠ ସାନ୍ତାଳୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ତୁଫାନ୍ ସୋରେନ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ୩୪ଟି ଦେଶ ସମେତ ୨୭୦କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ପପାୟା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିବାରୁ ନିଦେ୍ର୍ଦଶକ ଓ କଳାକାରଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି । ବାରିପଦା ବ୍ଲକ ଅନ୍ତର୍ଗତ ବଡ଼ବିଲା ଗ୍ରାମର ପିତା ରାଜୀବ ସୋରେନ୍ ଓ ମାତା ଶାର ସୋରେନଙ୍କ ପୁତ୍ର ତୁଫାନ୍ ବର୍ତ୍ତମାନ ତାଳଡିହା କଲୋନୀସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର । ଏହି ଖବରପାଇ ବିଦ୍ୟାଳୟ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପମା ସେନାପତି ତାଙ୍କ ବିଦ୍ୟାଳୟ ପାଇଁ ତୁଫାନ ଗୌରବ ଆଣିଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଶିକ୍ଷାର ଅଭାବ ହେତୁ ଜଣେ ପିଲା କିପରି ଏକ ସାଧାରଣ ଅମୃତଭଣ୍ଡା ପାଇଁ ସଂଘର୍ଷ କରେ ତାହା କାହାଣୀର ବିଷୟବସ୍ତୁ ବୋଲି ନିଦେ୍ର୍ଦଶକ ଶ୍ରୀ ବେଶ୍ରା ଜଣାଇଛନ୍ତି । ପ୍ରକାଶ ଥାଉକି ଶ୍ରୀ ବେଶ୍ରାଙ୍କ ସାନ୍ତାଳୀ କ୍ଷୁଦ୍ର ଚଳଚ୍ଚିତ୍ର ଦୁଲାର ଦାରହା, ସେକ୍ରେଡ଼ ଗୁଲାଚି, ମୋହତ ଓ ତେଲୁଗୁ କ୍ଷୁଦ୍ର ଚଳଚ୍ଚିତ୍ର ମାଲାପୁ ଏହା ପୂର୍ବରୁ ବ୍ରାଜିଲ, କଲକାତା ସମେତ ବିଭିନ୍ନ ଉତ୍ସବରେ ପୁରସ୍କୃତ ହୋଇସାରିଛି ।