ବାରିପଦା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଜାତୀୟ ଉଦ୍ୟାନ ରେଞ୍ଜ ଅଧୀନ ଘଞ୍ଚ ଜଙ୍ଗଲରୁ ଦାନ୍ତ କଟାଯାଇଥିବା ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିଦେ୍ର୍ଦଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କୁ ପଚାରିବାରୁ କବାଟ ଘାଇ ସେକ୍ସନର କାଣ୍ଡିହାର ବିଟ ଅଞ୍ଚଳ ଖେଜୁରୀ ଠାରେ ଏହି ମୃତଦେହକୁ ସୋମବାର ଠାବ କରିଥିବା କହିଛନ୍ତି । ଯାହାର ତଦନ୍ତ ଜାରି ରହିଛି । ଠାକୁରମୁଣ୍ଡା ରେଞ୍ଜର ଚମ୍ପାଝରଣ ନିକଟରୁ ୧୯ତାରିଖ ରବିବାର ଜବତ ହୋଇଥିବା ହାତୀଦାନ୍ତ ଘଟଣାର ଲିଙ୍କରୁ ଏହି ମୃତଦେହ ସମ୍ବନ୍ଧରେ ଜଣାପଡିଥିଲା । ହାତୀର ମୃତୁ୍ୟ କିପରି ହୋଇଛି ଏବଂ ଜବତ ଦାନ୍ତ ଏହି ହାତୀର କି ନୁହେଁ ସେ ସମ୍ବନ୍ଧରେ ଅଧିକ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ପୂର୍ବତନ ଅବୈତନିକ ବନପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ଏହା ପେଷାଗତ ଶିକାରୀଙ୍କ କାର୍ଯ୍ୟ । ସେମାନେ ବିଷ ଦିଆ ତୀର ମାରି ହାତୀକୁ ହତ୍ୟାକରିବା ପରେ ଏସିଡ ଦ୍ୱାରା ଦୁଇ ଦାନ୍ତ କାଟି ଫେରାର ହୋଇଛନ୍ତି । ଦନ୍ତାର ବୟସ ଆନୁମାନିକ ୨୦/୨୨ବର୍ଷ ହେବ ବୋଲି ଜଣାପଡୁଛି । ଯୁଗ୍ମ ଟାସ୍କଫୋର୍ସ ଶିମିଳିପାଳରେ ମୃତୟନ ଥିବାବେଳେ ଏଭଳି ଘଟଣା ମର୍ମାହତ କରୁଛି ବୋଲି କହିଛନ୍ତି । ସୂଚନା ଥାଉକି, ଶନିବାର ହାତୀ ଦାନ୍ତ ଚାଲାଣ ବେଳେ ଏକ ଯୋଡା ହାତୀଦାନ୍ତ ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଥିଲା । ବାଇକ୍ ଯୋଗେ ହାତୀ ଦାନ୍ତ ନେଇ ଆସୁଥିବା ସୂଚନା ପାଇ ବନବିଭାଗ ତସ୍କରିଙ୍କ ନିକଟରୁ ତିନି ବାଇକ୍, ମୋବାଇଲ୍ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଥିଲେ । ତସ୍କରି ତିନି ଜଣ କପ୍ତିପଦା ଥାନା ଅଞ୍ଚଳର ହୁଡ଼ିସାହିର ନିତ୍ୟାନନ୍ଦ ସିଂ(୨୪), ଚୁମୁରୁ ସିଂ(୨୩), ଲଛୁ ସିଂ(୩୦) ଏବଂ ମହୁଲଡିହା ଥାନା ଅଞ୍ଚଳର ଡ଼ଙ୍ଗାଡିହାର ରାଜୁ ବାଙ୍କିରା(୨୭) ପ୍ରମୁଖଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ ବୟାନ ସଂଗ୍ରହ ସମୟର ତଥ୍ୟକୁ ଆଧାର କରି ହାତୀ ମୃତଦେହ ପାଖରେ ବନବିଭାଗ ଅଧିକାରୀ ପହଞ୍ଚିଥିଲେ ।