ବ୍ରହ୍ମପୁର, ୬।୧୧: କର୍ତ୍ତବ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଜିଲ୍ଲା ପୁଲିସର ଜଣେ କନେଷ୍ଟବଳ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ସେ ହେଲେ ବ୍ରହ୍ମପୁର କୋର୍ଟ ସ୍ଥିତ ସିଏସ୍ଆଇରେ କାର୍ଯ୍ୟରତ ଥିବା କନେଷ୍ଟବଳ ରବି ରେଡ୍ଡୀ।
ଵ୍ରହ୍ମପୁର ସୂଚନା ମୁତାବକ, ବାଲି ବ୍ୟବସାୟୀ କୃପାସିନ୍ଧୁଙ୍କ ବିରୋଧରେ ଥିବା ଏକ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ତାଙ୍କୁ ଦିନିକିଆ ରିମାଣ୍ଡରେ ଆଣିଥିଲା। ଗତକାଲି ରିମାଣ୍ଡ ଅବଧି ସରିବା ପରେ ପୁଲିସ ତାଙ୍କୁ ନେଇ କୋର୍ଟରେ ହାଜର କରିଥିଲା। ତେବେ ସେତିକି ବେଳେ ସିଏସ୍ଆଇରେ ନିଯୁକ୍ତ ଥିବା କନେଷ୍ଟବଳ ଏସ୍.ରବି ରେଡ୍ଡୀ ନିଜ ଡ୍ୟୁଟି ପୋଷ୍ଟ ଛାଡ଼ି ଅଭିଯୁକ୍ତକୁ କୋର୍ଟ ଅଫିସରେ ଦେଖିବାକୁ ଯାଇଥିଲେ, ଯାହାକି ନିଜ କର୍ତ୍ତବ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରିବା ସଂଗେ ସମାନ। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଏବେ ନିଲମ୍ବିତ କରାଯାଇଛି ବୋଲି ଏସ୍ପି ଡ.ସର୍ବଣା ବିବେକ୍ ଏମ୍. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ସହ ତାଙ୍କର କଣ ସମ୍ପର୍କ ରହିଛି, କୌଣସି ପ୍ରକାର ସାହାଯ୍ୟ କରୁଥିଲେ କି ନାହିଁ ସେନେଇ ଅଧିକ ତଦନ୍ତ କରାଯିବ ବୋଲି ମଧ୍ୟ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି।