ଜଗତସିଂହପୁର୦୪/୧୧ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟାଓ୍ବରୀ ଭୋଟର ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ରଥ ଜିଲ୍ଲା ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ।ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଳାର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିକ୍ରମା କରିବ। ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉ ଅଛି ଯେଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୭ ଅକ୍ଟୋବରରୁ ଆରମ୍ଭ ହୋଇଛି ଏବଂ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ଅବଧି ମଧ୍ୟରେ ଭୋଟର ମାନେ ତାଲିକାର ଯାଞ୍ଚ୍ କରି ନୂତନ ନାମ ପଞ୍ଜିକରଣ, ମୃତ ଭୋଟର ବାଦ୍ ଦେବା ପାଇଁ ତଥା ତାଲିକାରେ ଥିବା ବିଭିନ୍ନ ବିବରଣୀର ସଂଶୋଧନ ପାଇଁ ଆବେଦନ କରିପାରିବେ ।ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶାଙ୍କ ଦ୍ଵାରା ୫ ନଭେମ୍ବର, ୧୧ନଭେମ୍ବର, ୧୯ ନଭେମ୍ବର, ୨୫ ନଭେମ୍ବରକୁ ସ୍ଵତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା କରାଯାଇଛି ।ଏହି ଦିନ ମାନଙ୍କରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ବୁଥ୍ ମାନଙ୍କରେ ଉପସ୍ଥିତ ରହି ଆବେଦନ ପତ୍ର ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
