Odisha news

ଚାପୁଡ଼ା ନେଇ ମୁହଁ ଖୋଲିଲେ ଟୁଟୁ : ମୋ ଯୋଗୁଁ ଯଦି ମନରେ ଆଘାତ ଲାଗିଛି, ତେବେ କ୍ଷମା ମାଗୁଛି

0

ଭୁବନେଶ୍ବର: ସର୍ବସାଧାରଣରେ ଚାପୁଡା ମାରିବା ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କ ବିରୋଧରେ ଏକ ଟିଭି ଚ୍ୟାନେଲର ମହିଳା ସାମ୍ବାଦିକ ଦେବସ୍ମିତା ଆଜି ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶ୍ରୀ ନାୟକ ମୁହଁ ଖୋଲିଛନ୍ତି। ସାମ୍ବାଦିକ ଦେବସ୍ମିତାଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଲେଖି ସେ କହିଛନ୍ତି, ‘‘ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ କ୍ଷମା ମାଗୁଛି।’’

ଶ୍ରୀ ନାୟକ କହିଛନ୍ତି, ‘‘ଦେବସ୍ମିତା ତୁମେ ମୋର ଝିଅ ବୟସର ହେବ। ତୁମେ ମୋତେ ବହୁତ ଦିନରୁ ଜାଣିଛ ଏବଂ ମୋ ଘରକୁ ମଧ୍ୟ ତିନି ଚାରି ଥର ଆସିଛ। ତେଣୁ ମୁଁ ତୁମକୁ ସବୁ ମିଡ଼ିଆ ଭାଇଭଉଣୀଙ୍କ ପରି ତୁମକୁ ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ବି କରେ। ଆଜି ମୁଁ ସ୍ଵାତୀ ସିନେମା ହଲରୁ ମହାରାଜା ସିନେମା ହଲ୍‌କୁ ଆଉ ଗୋଟେ ପ୍ରିମିୟର ସୋ’କୁ ଗଲାବେଳେ ତୁମେ ମେନ୍‌ ଗେଟ୍‌ ମଝିରେ ଠିଆ ହୋଇଥିଲ। ମୁଁ ତୁମକୁ ଡ଼ାକିଥିଲି। କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା। ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା। ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଥିଲେ ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି- ତୁ ଖାଇନୁ କିରେ?  ଆଉ ତୁମେ ହସିକି କହିଥିଲ- ହଁ ଭାଇ ମୁଁ ଖାଇଛି। ତାପରେ ମୁଁ ମହାରାଜା ସିନେମା ହଲକୁ ଚାଲି ଯାଇଥିଲି।’’

‘‘କିଛି ସମୟ ପରେ ମିଡ଼ିଆ ସୂତ୍ରରୁ ଜାଣିବାକୁ ପାଇଲି ଯେ ଏ ଘଟଣା ଯୋଗୁଁ ତୁମ ମନକୁ ବହୁତ ଆଘାତ ଲାଗିଛି। ଏହା ଜାଣିବା ପରେ ମୁଁ ତୁମ ମୋବାଇଲକୁ ଚାରି ପାଞ୍ଚ ଥର କଲ କରିଥିଲି ତୁମକୁ ସରି କହିବା ପାଇଁ। କିନ୍ତୁ ତୁମେ ଫୋନ ଉଠେଇପାରି ନ ଥିଲ। ତେଣୁ ଏ ମେସେଜ ଜରିଆରେ ତୁମକୁ ଜଣେଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ କ୍ଷମା ମାଗୁଛି। ତୁମର ମଙ୍ଗଳ କାମନା କରୁଛି।’’

ସୂଚନାଯୋଗ୍ୟ, ସାମ୍ବାଦିକା ଦେବସ୍ମିତା ଥାନାରେ ଲିଖିତ ଅଭିଯୋଗ କରି କହିଥିଲେ ଯେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ତାଙ୍କୁ ଟୁଟୁ ନାୟକ କାହିଁକି ମାରିଲେ ସେ  ଜାଣି ନାହାନ୍ତି । ଝିଅ ହିସାବରେ ମାଡ଼ ମାରିବା ତାଙ୍କର ଭୁଲ। କେବଳ ଏତିକି ନୁହେଁ, ସେ ତାଙ୍କୁ ଗାଳିଗୁଲଜ କରିଥିଲେ। ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦାହାନୀ କରିଛି। ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଦେବସ୍ମିତା।

ସାମ୍ବାଦିକା ଦେବସ୍ମିତାଙ୍କ ଅଭିଯୋଗ କ୍ରମେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ୩୨୪, ୩୨୩, ୨୯୪, ୩୫୪ ଆଇପିସିରେ ପୁଲିସ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ସିସିଟିଭି ଯାଞ୍ଚ କରିଛି।

Leave A Reply