ବ୍ରହ୍ମପୁର, ଭିଜିଲାନ୍ସ ମାମଲାରେ ସାକ୍ଷୀ ରହୁଥିବା ସରକାରୀ କର୍ମଚାରୀ ମାନେ ବୟାନ ବଦଳାଇବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଭିଜିଲାନ୍ସ। ଦୁଇଟି ଲାଞ୍ଚ ଗ୍ରହଣ ମାମଲାରେ ସାକ୍ଷୀ ଥିବା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ମନୋଜ କୁମାର ପାଢ଼ି କୋର୍ଟରେ ବୟାନ ବଦଳାଇଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଜିଲାନ୍ସ ଚିଠି ପ୍ରକାରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ତାଙ୍କର ଗ୍ୟାଲେରି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଯିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଚିଠି ସଂଖ୍ୟା ୧୪୯୦୨ ଅନୁସାରେ ଏହି ବଦଳି ନିର୍ଦ୍ଦେଶ ହୋଇଛି । ପୂର୍ବରୁ ମଧ୍ୟ ଦୁଇଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଭିଜିଲାନ୍ସ ଦୁଇଜଣଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ସାଧାରଣ ପ୍ରଶାସନକୁ ଚିଠି କରିଛି। ଭିଜିଲାନ୍ସ ମାମଲାରେ ସରକାରୀ ସାକ୍ଷୀ ମାନେ ବିଭିନ୍ନ ସମୟରେ ବୟାନ ବଦଳାଉଛନ୍ତି। ଯାହାଫଳରେ ଲାଞ୍ଚୁଆ ଅଧିକାରୀ ମାନେ ଖସିଯାଉଛନ୍ତି । ସରକାରୀ ସାକ୍ଷୀ ମାନେ ପ୍ରଭାବିତ ହୋଇ ଏଭଳି କରୁଥିବା ଯୋଗୁଁ ଏବେ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଉଛି। ୨୦୧୭ ନଭେମ୍ବର ୮ତାରିଖରେ ଭିଜିଲାନ୍ସ ଦାରିଙ୍ଗବାଡି ତହସିଲ ଅଧ୍ଵନ ଗଦାପୁର ଆର୍ଆଇ ଶଙ୍କର ପ୍ରସାଦ ମେହେରଙ୍କୁ ଲାଞ୍ଚ ଗ୍ରହଣ ମାମଲାରେ ଗିରଫ କରିଥିଲା। ଭିଜିଲାନ୍ସ କେସ୍ ନମ୍ବର ୫୭/୨୦୧୬ରେ ମାମଲା ରୁଜୁ ହୋଇଥିଲା। ସେହିପରି ଜଣେ ଇଲେଟ୍ରିକାଲ ନିର୍ବାହୀଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ୨୦୧୭ ଫେବ୍ରୁଆରୀ ୨୧ ଧରାପଡିଥିଲେ। ଭିଜିଲାନ୍ସରେ ୧୪/୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି କେସ୍ରେ ସରକାରୀ ସାକ୍ଷୀ ଥିଲେ ମନୋଜ କୁମାର ପଣ୍ଡା । ଉଭୟ ମାମଲାରେ ସିଆର୍ପିସି ୧୬୪ ଅନୁସାରେ କୋର୍ଟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। କେସ୍ର ବିଚାରଣା ସମୟରେ ସେ ପୂର୍ବରୁ ଦେଇଥିବା ବୟନା ବଦଳାଇଥିଲେ । ଯାହାଫଳରେ ଉଭୟ କେସ୍ରେ ଅଭିଯୁକ୍ତ ମାନେ ନିନ୍ଦୋଷରେ ଖଲାସ ହୋଇଥିଲେ । ପ୍ରଭାବିତ ହୋଇ ଜଣେ ସରକାରୀ ସାକ୍ଷୀ ନିଜର ବୟାନ ବଦଳାଇଥିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମପୁର ଭିଜିଲାନ୍ସ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଗତ ୧୯ ତାରିଖରେ ୦ ଚିଠି କରିଥିଲେ। ସେହି ଚିଠିକୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ମନୋଜଙ୍କୁ ଗାଲେରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡେପୁଟେସନ ରେ ପଠାଯାଇଛି।