Odisha news

ବିହାର ତୁଲ୍ୟ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ପାଇଁ ପଛୁଆ ବର୍ଗ ମଞ୍ଚର ଦାବୀ

0

ବାରିପଦା  : ସ୍ଥାନୀୟ ଦାରଗାଡାହି ଠାରେ ଅନ୍ୟାନ୍ୟ ପଛୁଆବର୍ଗ ମଞ୍ଚର ଆନୁକୁଲ୍ୟରେ ଏହାର ଜିଲ୍ଲା କାର୍ଯ୍ୟାଳୟରେ ବରିଷ୍ଠ ସଦସ୍ୟମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲ୍ଲା ସଭାପତି ଆଡ୍ଭୋକେଟ୍ ଅବନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ ଅବସ୍ଥାରେ ଓଡିଶାର ଓବିସି ସମାଜ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ବ୍ୟାପକ ଆଲୋଚନା ହୋଇଛି । ରାଜ୍ୟରେ ବିହାର ତୁଲ୍ୟ ଜାତିଭିତ୍ତିକ ଜନଗଣନା ପାଇଁ ଦାବୀ କରାଯାଇଛି । ରାଜ୍ୟ ସରକାର ପୂର୍ବରୁ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବୀ କରୁଥିଲେ ହେଁ ପରେ ଏସଇବିସି ସର୍ଭେ କରାଇଛନ୍ତି, ଯାହା ଠିକ୍ ଢଙ୍ଗରେ ହୋଇନାହିଁ । ଏହି ବର୍ଗର ଅନେକ ଲୋକ ଏଥିରେ ସାମିଲ ହୋଇନାହାଁନ୍ତି । ବିହାର ତୁଲ୍ୟ ଘରକୁ ଘର ଯାଇ ଜାତିଗତ ଗଣନା କରିବା ସହିତ ପ୍ରତ୍ୟେକ ଜାତିର ଆର୍ଥôକ ଓ ସାମାଜିକ ସ୍ଥିତି ଉପରେ ମଧ୍ୟ ଅନୁଧ୍ୟାନ କରିବାର ଥିଲା । ଏହି ସର୍ଭେରେ ପ୍ରତ୍ୟେକ ଜାତିକୁ ଅନ୍ତର୍ଭୁକ୍ତ କରିଥିଲେ ରାଜ୍ୟରେ ଅଗ୍ରସର ବର୍ଗର ସଂଖ୍ୟା ଓ ଅବସ୍ଥା ସମ୍ବନ୍ଧରେ ମଧ୍ୟ ସଠିକ ଚିତ୍ର ମିଳିପାରନ୍ତା । ତେଣୁ ସଂଗଠନ ତରଫରୁ ବିହାର ତୁଲ୍ୟ ପୁନର୍ବାର ଜାତିଭିତ୍ତିକ ଜନଗଣନା କରିବାକୁ ଦାବୀ କରାଯାଇଛି । ଏହାସହିତ କେନ୍ଦ୍ର ସରକାର ୨୦୧୧ ମସିହାର ଜନଗଣନାରେ ସଂଗ୍ରହ କରିଥିବା ଜାତିଗତ ରିପୋର୍ଟକୁ ପ୍ରକାଶ କରିବା ପାଇଁ ଦାବୀ କରାଯାଇଛି । ଓବିସିମାନଙ୍କୁ ରାଜ୍ୟରେ ସଂଖ୍ୟାନୁପାତିକ ସଂରକ୍ଷଣ ଦେବାକୁ ଦାବି କରାଯାଇଛି । ଅନ୍ୟ ଯେଉଁମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ପଟ୍ଟାବିହୀନ ସଂଘର ସଭାପତି ନନ୍ଦ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ଅଧ୍ୟାପକ ଗୋପବନ୍ଧୁ, କୁଡୁମି-ମହାନ୍ତ ମହାସଭାର ମହାସଚିବ ଆଡଭୋକେଟ ବସନ୍ତ ମହାନ୍ତ, ଆଦିବାସୀ ଦଳିତ ମହାସଂଘର ସଭାପତି ରାକେଶ ସିଂ, କଂଗ୍ରେସ ରାଜ୍ୟ ଓବିସି ମେଡିଆ ସେଲର ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ପରେଶ ଚନ୍ଦ୍ର ମହାନ୍ତ, ସଦ୍ଗୋପ ସମାଜର ଉପସଭାପତି ତିମିର କୁମାର ଘୋଷ, ଅନନ୍ତ ପ୍ରସାଦ ମହାନ୍ତ ଓ ମାନସ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply