କଣାସ,୧୪/୦୯/ :ତିନି ଦଫା ଦାବି ନେଇ ସରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ତାଲା ବନ୍ଦ ଆନ୍ଦଳନକୁ ଓହ୍ଲାଇଥିବା ବେଳେ କଣାସ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।ଯାହା ଦ୍ଵାରା କୋମଳମତି ଶିଶୁମାନଙ୍କ ପାଠ ପଢା ସମ୍ପୂର୍ଣ ଠପ୍ ହୋଇଯାଇଛି ।ଏଭଳି ଆନ୍ଦୋଳନ ଏମିତି କେତେଦିନ ଚାଲିବ ବିଦ୍ୟାଳୟରେ ପାଠ ପଢା କେବେ ସ୍ଵାଭାବିକ ହେବ ତାହା ଏବେ ସନ୍ଧେହ ଘେରରେ ।କଣାସ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସୁଶାନ୍ତ କୁମାର ନରେନ୍ଦ୍ର ,ପ୍ରତାପ କେଶରୀ ଛୋଟରାୟ,ପ୍ରହଲ୍ଲାଦ ମାନସିଂହ ଓ ପ୍ରତାପ କୁମାର ରାୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ସରକାର ଶିକ୍ଷକମାନଙ୍କୁ କଥା ଦେଇ ପ୍ରତାରଣା କରୁଥିବାରୁ ଗତ ଶୁକ୍ରବାର ଠାରୁ ଏହି ଆନ୍ଦୋଳନ ୩୧୪ ବ୍ଲକରେ ରାଜ୍ୟ ସଂଘ ପକ୍ଷରୁ ଜୋରଦାର କରାଯାଇଛି ।
ଶିକ୍ଷକ ମାନଙ୍କ ଦାବୀ ଗୁଡ଼ିକ ହେଲା ୬ବର୍ଷର ଠିକା ନିଯୁକ୍ତିକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କରିବା , କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଲେବୁଲ-୯ ଗ୍ରେଡ ଅନୁଯାୟୀ ୪୨୦୦ ପ୍ରଦାନ କରିବା ଓ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଭଳି ୩ଗୋଟି ଦାବି ନେଇ ସରକାରଙ୍କ ନିକଟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବାରମ୍ବାର ଉପସ୍ଥାପନ କରିଥିଲେ ମଧ୍ୟ ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି । ସରକାର ତୁରନ୍ତ ଶିକ୍ଷକମାନଙ୍କର ଦୀର୍ଘ ଦିନର ୩ ଦଫା ଦାବି ପୂରଣ ନକଲେ ଏହି ତାଲା ବନ୍ଦ ଆନ୍ଦୋଳନ ଅନିଧିଷ୍ଠ କାଳ ପାଇଁ ଜାରି ରହିବ ବୋଲି ନିଜ ଜିଦିରେ ଅଟଳ ରହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କୁନି କୁନି ପିଲା ମାନଙ୍କର ଭବିଷ୍ୟତ ଗଢ଼ୁଥିବା ପ୍ରାଥମିକ ଶିକ୍ଷକଙ୍କ ଦୀର୍ଘ ଦିନର ଦାବୀକୁ ସରକାର ଗୁରୁତ୍ୱ ଦେଇ ସମାଧାନ କରିବା ସହ ତୁରନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଦାବୀ କରିଛନ୍ତି ।