Odisha news

ଜି-୨୦ ବୈଠକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଜି-୨୦ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକରେ ମୋଦୀ ୨ ଦିନର ଜି-୨୦ କାର୍ଯ୍ୟକ୍ରମ ଭାରତ ଏବଂ ଏହାର ବୈଶ୍ବିକ ଛବି ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ତାହା କହିଛନ୍ତି। ମନ୍ତ୍ରୀମାନେ କ’ଣ କରିବେ ଏବଂ କ’ଣ କରିବେନି ସେନେଇ ମଧ୍ୟ କିଛି ନିର୍ଦ୍ଦେଶ ଦେଇଛନ୍ତି। ଜି-୨୦ ବୈଠକ ସ୍ଥଳକୁ ମନ୍ତ୍ରୀମାନେ ସରକାରୀ ଗାଡ଼ି ନେଇପାରିବେନି। ସେମାନେ ନିଜ ଗାଡ଼ିରେ ସଂସଦ ଭବନ ପର୍ଯ୍ୟନ୍ତ ଯିବେ। ସେଠାରୁ ସେମାନଙ୍କୁ ବସ୍‌ ଦ୍ବାରା ଭାରତ ମଣ୍ଡପମ କିମ୍ବା ଅନ୍ୟାନ୍ୟ କାର୍ଯ୍ୟସ୍ଥଳକୁ ନିଆଯିବ। ମନ୍ତ୍ରୀମାନେ ଜି-୨୦ ଇଣ୍ଡିଆ ମୋବାଇଲ ଆପ୍‌ ଡାଉନଲୋଡ୍‌ କରିବାପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ମିଳନୀ ସମୟରେ ବିଦେଶୀ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବାପାଇଁ ଜି-୨୦ ଇଣ୍ଡିଆ ମୋବାଇଲ୍‌ ଆପ୍‌ର ଟ୍ରାନ୍ସଲେସନ୍‌ ଏବଂ ନାଭିଗେସନ୍‌ ସାଟେଲାଇଟ୍‌ ସମେତ ଅନ୍ୟାନ୍ୟ ଫିଚର୍‌ ସବୁ ବ୍ୟବହାର କରିବାପାଇଁ ମୋଦୀ ମନ୍ତ୍ରୀମାନଙ୍କୁ କହିଛନ୍ତି।

ବିଦେଶୀ ଅଧିକାରୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ମୋଦୀ ସମସ୍ତ ମନ୍ତ୍ରୀଙ୍କୁ ସଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚିବାପାଇଁ କହିଛନ୍ତି। କେବଳ ଯେଉଁମାନଙ୍କୁ ଜି-୨୦ ବୈଠକ ସଂକ୍ରାନ୍ତରେ କହିବାର କ୍ଷମତା ମିଳିଛି ସେମାନେ ହିଁ କହିବେ। ଅନ୍ୟମାନେ ଜି-୨୦ ବୈଠକ ସଂକ୍ରାନ୍ତରେ କିଛି ନକହିବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା ମନ୍ତ୍ରୀମାନଙ୍କୁ ସମସ୍ତ ପ୍ରୋଟକଲ୍‌ ସଂକ୍ରାନ୍ତରେ ଅବଗତ କରାଇ ଦେଇଛନ୍ତି। ଜି-୨୦ ଡିନର ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରିତ କରାଯାଇଛି। ସେମାନଙ୍କୁ ନିଜ ନିଜ କାର୍‌ରେ ସଂସଦ ଭବନ ପରିସରରେ ସନ୍ଧ୍ୟା ୫.୩୦ରେ ପହଞ୍ଚିବାପାଇଁ କୁହାଯାଇଛି। ସେଠାରୁ ସେମାନେ ସଟଲ୍‌ ଦ୍ବାରା ଡିନର କାର୍ଯ୍ୟସ୍ଥଳକୁ ଯିବେ। ଉଲ୍ଲେଖଯୋଗ୍ୟ,ସେପ୍ଟେମ୍ବର ୯-୧୦ରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ କନଭେନସନ୍‌ ସେଣ୍ଟରରେ ସମ୍ମିଳନୀ ହେବ।

ଟିମ୍‌ରେ ୧୪୦ ଯୁବ ଅଫିସର

ନୂଆଦିଲ୍ଲୀ : ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ କ୍ୟାଡର ଏବଂ ସେବାର ୧୪୦ ଜଣ ଯୁବ ପ୍ରଶାସନିକ ସେବା ଅଧିକାରୀଙ୍କୁ କାମ କରିବାର ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସ୍ତାବ ଦେଇଥିଲେ ଏବଂ ଏହା କାର୍ଯ୍ୟକାରୀ ହୋଇଛି ବୋଲି ଜି-୨୦ ଇଣ୍ଡିଆର ଜଣେ ଶୀର୍ଷ ଅଧିକାରୀ ମୁକ୍ତେଶ ପରଦେଶୀ କହିଛନ୍ତି। ପ୍ରାୟ ବର୍ଷେ ହେବ ଦେଶ ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି ଏବଂ ୬୦ଟି ସ୍ଥାନରେ ୨୦୦ ବୈଠକ ହୋଇଛି। ୨୦୨୨ ଫେବ୍ରୁଆରିରେ ଜି-୨୦ ସଚିବାଳୟ ସୃଷ୍ଟି ହୋଇଥିଲେ ବି ଏହି ଗୋଟିଏ ସପ୍ତାହର ସମ୍ମିଳନୀ ପାଇଁ ବହୁତ ପୂର୍ବରୁ ସବୁ ପ୍ରସ୍ତୁତି ହୋଇଛି ବୋଲି ପର‌ଦେଶୀ କହିଛନ୍ତି। ଦେଶବ୍ୟାପୀ ୧୪୦ ଯୁବ ପ୍ରଶାସନିକ ସେବା ଅଧିକାରୀ ଜି-୨୦ ମୁଖ୍ୟ ବୈଠକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଭାରତ-ଚୀନ୍‌ ସମ୍ପର୍କ ସ୍ଥିର: ଚୀନ୍‌, ସମ୍ମିଳନୀକୁ ପୂର୍ଣ୍ଣ ସମର୍ଥନ

ନୂଆଦିଲ୍ଲୀ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଯୋଗ ଦେବେନାହିଁ ବୋଲି ଚୀନ୍‌ ସ୍ପଷ୍ଟ କରିଛି। ଜିନପିଙ୍ଗଙ୍କ ପରିବର୍ତ୍ତେ ବୈଠକରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ ଯୋଗଦେବେ। ‌ତେବେ ଦୁଇ ଦେଶ ମଧ୍ୟରେ ଲାଗିଥିବା ବିବାଦ ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିବାରୁ ଚୀନ୍‌ର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଭାରତ- ଚୀନ୍‌ ସମ୍ପର୍କ ସ୍ଥିର ଏବଂ ସ୍ବାଭାବିକ ରହିଛି। ବିଭିନ୍ନ ସ୍ତରରେ ଉଭୟ ରାଷ୍ଟ୍ର ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଅଧ୍ୟକ୍ଷତାରେ ହେଉଥିବା ଜି-୨୦ ସମ୍ମିଳନୀକୁ ଚୀନ୍‌ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ସମ୍ମିଳନୀକୁ ସଫଳ କରିବାପାଇଁ ଚୀନ୍‌ ସମସ୍ତ ପକ୍ଷଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି।

Leave A Reply