ନୂଆଦିଲ୍ଲୀ : ଗଣେଶ ଚତୁର୍ଥୀ ଅବସରରେ ୧୯ ତାରିଖ ମଙ୍ଗଳବାର ନୂଆ ସଂସଦ ଭବନରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ପୁରୁଣା ସଂସଦ ଭବନରେ ହେବ। ତେବେ ଏହାର ଦିନକ ପରେ ଗଣେଶ ଚତୁର୍ଥୀ ଥିବାରୁ ଏହି ଅବସରରେ ସଂସଦୀୟ କାର୍ଯ୍ୟକ୍ରମକୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତର କରାଯିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍ଘାଟନ କରିଥିଲେ। ତେବେ ଉଦ୍ଘାଟନ କାର୍ଯ୍ୟକ୍ରମ ସରିଥିଲେ ସୁଦ୍ଧା ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହୋଇନଥିଲା। ସ୍ବତନ୍ତ୍ର ଅଧିବେଶନରେ ୫ଟି କାର୍ଯ୍ୟଦିବସ ରହିବ। ଉଲ୍ଲେଖଯୋଗ୍ୟ, ଶନିବାର ଉଭୟ ଲୋକସଭା ଓ ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା ଯେ ସଂସଦର ଉଭୟ ଅଧିବେଶନ ବିନା ପ୍ରଶ୍ନକାଳରେ ହେବ। ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ଚାଲିବ।