ବ୍ରହ୍ମପୁର : ପବିତ୍ର ରକ୍ଷା ବନ୍ଧନ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଥିବା ଦୁଇଟି ବିରାଟ ଗଛକୁ ରାକ୍ଷୀ ବନ୍ଧା ଯାଇଥିଲା। ଆଜିକାଲିର ଆଧୁନିକୀକରଣ ଭିତରେ ମନୁଷ୍ୟ ନିଜକୁ ହଜାଇ ଦେଉଥିବା ବେଳେ ଗଛ ସହିତ ନିଜ ସମ୍ପର୍କକୁ ଛିନ୍ନ କରିଚାଲିଛି । ତେଣୁକରି ବ୍ରହ୍ମପୁର ସବୁଜ ଵହିନୀ ଅନାବରତ ଭାବେ ବିଭିନ୍ନ ପର୍ବ ପର୍ବାଣୀରେ ଗଛ ସହିତ ବ୍ୟକ୍ତିର ଦାୟିତ୍ୱ ଉପରେ ଜନସାଧାରଣଙ୍କୁ ସଚେତନତା କରିଆସୁଛି। ସେହିଭଳି ଚଳିତ ବର୍ଷ ବ୍ରହ୍ମପୁର ସବୁଜ ଵହିନୀ ରକ୍ଷା ବନ୍ଧନ ଅବସରରେ ରେଳ ଷ୍ଟେସନର ସ୍ଥାନୀୟ ଅଟୋ ଚାଳକ ସଂଘ ସହ ମିଶି ନିକଟବର୍ତ୍ତୀ ଦୁଇଟି ବିରାଟ ଗଛକୁ ରାକ୍ଷୀ ବାନ୍ଧିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ ନିମନ୍ତେ ଉକ୍ତ ଦୁଇଟି ଗଛକୁ କଟା ଯିବା ପାଇଁ ବିଗତ ଦିନମାନଙ୍କରେ ଚର୍ଚ୍ଚା ଚାଲିଥିବା ବେଳେ ଗଛକୁ ନ କାଟିବା ପାଇଁ ସଂଗଠନ ଦ୍ୱାରା ପ୍ରତିବାଦ ହୋଇଆସୁଛି। ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀଙ୍କ କହିବା ମୁତାବକ ଶତାଧିକ ବର୍ଷ ଧରି ଷ୍ଟେସନ ନିକଟବର୍ତ୍ତୀ ଏହି ଗଛ ଦୁଇଟି ରେଳ ଯାତ୍ରୀଙ୍କ ପାଇଁ ଛାଇ ଯୋଗାଇ ଆସିବା ସହ ହଜାର ହଜାର ପକ୍ଷୀଙ୍କ ପାଇଁ ବାସସ୍ଥଳୀ ପାଲଟିଛି। ତେଣୁ କରି ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ବ୍ରହ୍ମପୁର ରେଳ ଷ୍ଟେସନ ମାଷ୍ଟର ଶ୍ରୀ ଦୁର୍ଗା ପ୍ରସାଦ ବ୍ରହ୍ମା ଯୋଗ ଦେବା ସହ ଗଛ ଗୁଡିକୁ ନ କାଟି ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ ପରିଚାଳନା କରିଥିଲେ । ଏମ ଦିଲ୍ଲୀପ କୁମାର, ପି ବିନୋଦ, ଗଣେଶ ପାଣିଗ୍ରାହୀ, ଆକାଶ ରାଉତ, ସୁଜିତ ଗୌଡ଼, ପି କିରଣ କୁମାର, ପ୍ରବୀଣ କୁମାର, ଶିବରାମ ବେହେରା,ସାଗର ପ୍ରସାଦ ପାତ୍ର,ବି ବିନୋଦ, ମୁନ୍ନା ଶତପଥୀ ଏବଂ ସ୍ଥାନୀୟ ରେଳ ଷ୍ଟେସନ ଅଟୋ ସଂଘର ଚାଳକ ପ୍ରଭୃତି ଉପସ୍ଥିତ ଥିଲେ।