ଛତ୍ରପୁର,୧୧/୮ : ପୁଣି ଜାତୀୟସ୍ତରରେ ପ୍ରଶଂସିତ ହୋଇ ‘ଭୂମି ସମ୍ମାନ ପ୍ଲାଟିନମ୍’ ଜାତୀୟସ୍ତରରେ ପୁରସ୍କାରପ୍ରାପ୍ତ ଗଞ୍ଜାମ ଜିଲ୍ଲାକୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି । ଗଞ୍ଜାମ ଜିଲ୍ଲା ଭୂମି ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ରାଷ୍ଟପିତ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗତ ୧୮ ତାରିଖରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ପୁରସ୍କାର ଗ୍ରହଣ କରିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ୱର ଲୋକସେବା ଭବନ ଠାରେ ‘ଜାତୀୟ ଭୂମି ସମ୍ମାନ-୨୦୨୩’ ବିଜେତା ଜିଲ୍ଲା ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଟ୍ରଫି ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ ।ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା ମଧ୍ୟ ଉପସ୍ଥିତ ଥିଲେ । ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଦେଶରେ ଓଡିଶା ଶ୍ରେଷ୍ଠ ରାଜ୍ୟ ମାନ୍ୟତା ପାଇଛି । ଦେଶର ୬୮ଟି ଜିଲ୍ଲା ‘ଭୂମି ସମ୍ମାନ’ପୁରସ୍କୃତ ହୋଇଥିବା ବେଳେ ଓଡିଶାର ୧୯ଟି ଜିଲ୍ଲା ପୁରସ୍କୃତ ହୋଇଛନ୍ତି । ଓଡିଶା ରାଜ୍ୟର ୧୯ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ସ୍ଥାନରେ ରହିଛି ।