ବାରିପଦା : ଜେଏମଏମ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ୧୧ ଦଫା ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିଗୁଡିକ ଯଥାକ୍ରମେ ବାଦାମପାହାଡ ଓ ଗୋରୁମହିଷାଣି ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଖଣିଖାଦାନ ଓ ସୌନ୍ଦର୍ଯ୍ୟ ଭରା ମୟୂରଭଞ୍ଜରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ବନ୍ଦ ହୋଇ ପଡିଥିବା ଶିଳ୍ପକୁ ପୁନଃ ପ୍ରଚଳନ କରି ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି ଦିଆଯାଉ, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି ଦେବା ସହିତ ଉପକରଣ ଯୋଗାଇଦେବା ଓ ରାଇରଙ୍ଗପୁର ଡାକ୍ତରଖାନାରେ ଆଇସିୟୁ ତୁରନ୍ତ ନିର୍ମାଣ କରାଯାଉ, ସାନ୍ତାଳୀ, ମୁଣ୍ଡାରୀ, ହୋ ସହିତ କୁଡମାଲି ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ଦିଆଯାଉ, ଆଦିବାସୀ ମାନେ ସାରନା ଧର୍ମ କୋଡ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଅର୍ଥକୁ ବୃଦ୍ଧି କରିବା, ସାନ୍ତାଳୀ, ମୁଣ୍ଡାରୀ, ହୋ, କୁଡମାଲି ଭାଷାରେ ପଢାଉଥିବା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଶିମିଳିପାଳ ଫେରିଫେରୀରେ ଥିବା ଆଦିବାସୀ ତଥା ଶିମିଳିପାଳରେ ଥିବା ଜୀବଜନ୍ତୁ ଓ ବୃକ୍ଷଲତାକୁ କଡା ସୁରକ୍ଷା ପ୍ରଦାନ କରି ଶିମିଳିପାଳର ସୁରକ୍ଷା କରିବା, ବାରିପଦା ବାସୀଙ୍କୁ ତୁରନ୍ତ ପିଇବା ପାଣି ଯୋଗାଇଦେବା ସହିତ ସୌନ୍ଦର୍ଯ୍ୟ କରଣ ନାମରେ ପୋଖରୀକୁ ଶୁଖାଯାଇ ବାରିପଦାର ଜଳସ୍ତରକୁ ଖସାଇ ଦିଆଯାଇଥିବା ପୋଖରୀକୁ ପାଣିରେ ପୂର୍ଣ୍ଣ କରିବା, ମଣିପୁରରେ ହୋଇଥିବା ଆଦିବାସୀଙ୍କୁ ଅତ୍ୟାଚାର ଓ ଦଙ୍ଗାକୁ ବନ୍ଦ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଦାବିମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜେଏମଏମ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ବାବୁଲାଲ ମୁର୍ମୁ, ପ୍ରଭାରୀ ଶିବାଜୀ ମୌଲିକ୍, ସୁମିତ୍ରା ହେମ୍ବ୍ରମ, ଘନଶ୍ୟାମ ପିଙ୍ଗୁଆ, ସରୋଜିନୀ ମୁର୍ମୁ, ବଳରାମ ଟୁଡୁ ପ୍ରମୁଖଙ୍କ ସହ ବହୁ ଜେଏମଏମ କର୍ମୀ ଉପସ୍ଥିତ ଥିଲେ ।
