Odisha news

ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ହତ୍ୟା ଘଟଣା ୨୫ବର୍ଷ ଧରି ଚାଲିଛିବିଚାରଣା, ପୂର୍ବତନ ବିଧାୟକ ସହ ୧୪ କୋର୍ଟରେ ହାଜର

0

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଞ୍ଚଳରେ ଟାଟା ଜମି ଅଧଗ୍ରହଣ ସମୟରେ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କୁ ହତ୍ୟା ଏବଂ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଘଟଣାକୁ ୨୫ବର୍ଷ ବିତିଯାଇଛି । ଏହି ମାମଲାର ବିଚାରଣା ସରୁନଥିବା ବେଳେ ଏଡିଜେ – ୩ କୋର୍ଟରେ ହାଜର ହୋଇଛନ୍ତି ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡିଙ୍କ ସହ ୧୪ଜଣ ସହଯୋଗୀ। ୧୯୯୮ ଜୁନ୍ ୧୮ ତାରିଖରେ ଟାଟା ଜମି ଅଧୂଗ୍ରହଣ ସମୟରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ଗଞ୍ଜାମ ପୋଲିସ ଜିଲ୍ଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ହତ୍ୟା କରିଥିଲେ ଉତ୍ୟକ୍ତ ଲୋକ । ଏନେଇ ଅଭିଯୋଗ ପର୍ସ ଛତ୍ରପୁର ଥାନାରେ ୧୧୫/୧୮୯୮ରେ ଦଫା ୩୦୨ ଅନୁସାରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ବିଧାୟକଏନ. ନାରାୟଣ ରେଡିଙ୍କ ସହ ୨୨ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ। ଘଟଣାଦିନ ଅପରାହ୍ନରେ ସିନ୍ଧିଗାଁରେ ଶାନ୍ତି କମିଟି କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳ ସନ୍ତୋଷ କୁମାର ଶତପଥ ଏବଂ ତତ୍କାଳୀନ ଗଞ୍ଜାମ ଏସପି  ୱାଇବି ଖୁରାନିଆ ସେଠାକୁ  ଯାଇଥିଲେ । ସେଠାରେ ଏସ୍‌ପି ଓ ଜିଲ୍ଲାପାଳଙ୍କ ସିକ୍ୟୁରିଟି ଅଫିସରଙ୍କ ଉପରେ ଲୋକମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ନାରାୟଣ ରେଡ୍ଡି ଓ ତାଙ୍କ ସହଯୋଗୀଙ୍କ ନାମରେ ୧୧୬|୧୮୯୮ରେ ଛତ୍ରପୁର ଥାନାରେ ଆଉ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ଦୁଇଟି ଘଟଣା ଗୋଟିଏ ବିଷୟକୁ ନେଇ ହୋଇଥିବାରୁ ୨୦୦୧ରେ ସିଆର୍‌ପିସି ୨୨୦ ଅନୁସାରେ କୋର୍ଟ ଦୁଇଟି ମାମଲାକୁ ଗୋଟିଏ କେସ୍ କରିବାକୁ ନିର୍ଦେଶ ଦେଇଥିଲେ । ଦୁଇଟି ଘଟଣାରେ ୧୨୦ଜଣ ସାକ୍ଷୀ ଥିଲେ । ଏହି ମାମଲା ଏଡିଜେ–୩ ରାଜକୁମାର ଦାଶ ଙ୍କ କୋର୍ଟରେ ବିଚାରଣା ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଜବାବସୁଆଲ୍ ହୋଇଛି । ପୂର୍ବତନ ବିଧାୟକ ଏନ.  ନାରାୟଣ ରେଡ୍ଡୀ ସହ ୧୪ଜଣ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାରେ ଅନ୍ୟ ୮ଜଣ ଅଭିଯୁକ୍ତଙ୍କ ବିଚାରଣା ସମୟରେ ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି । ଏହି ମାମଲାରେ କୋର୍ଟ ୬୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିବା ବର୍ତ୍ତମାନ ବିଚାରଣା ଶେଷ ପର୍ଯ୍ୟାୟକୁ ଆସିଥିବା ଜଣାପଡିଛି। ସେପଟେ ପରବର୍ତ୍ତୀ ଜବାବସୁଆଲ୍ ଆସନ୍ତା ୧୫ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ନିରଞ୍ଜନ ପାଢ଼ି ଏହି ସୂଚନା ଦେଇଛନ୍ତି।

Nalco
Leave A Reply