ବାରିପଦା : ମୁର୍ଗାବାଡି ନିକଟସ୍ଥ ‘ପ୍ରୟାସ ସମ୍ମିଳନୀ କକ୍ଷରେ’ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖାର ସଭାପତି ଧ୍ରୁବଚରଣ ମୁର୍ମୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଭାଗୀୟ ଶିକ୍ଷା ମଣ୍ଡଳାଧୀଶ ଚନ୍ଦ୍ରଭାନୁ ମହାପାତ୍ର ଯୋଗଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଜିଲ୍ଲା ଶିକ୍ଷାନିରୀକ୍ଷକ ମୟୂରଭଞ୍ଜ ମାନସ ରଂଜନ ତ୍ରିପାଠୀ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଦେବେନ୍ଦ୍ର କୁମାର ପଣ୍ଡା, ରାଜ୍ୟ ସଂଘର କୋଷାଧ୍ୟକ୍ଷ ବସନ୍ତ ବେହେରା, ପୂର୍ବତନ ରାଜ୍ୟ ସମ୍ପାଦକ ଦୀପକ କୁମାର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ । ପୁନଶ୍ଚ ୪ଟି ଉପଖଣ୍ଡର ସଭାପତି ଭାବରେ ରୋହିନ୍ ମହାନ୍ତ, ପ୍ରଶାନ୍ତ ସାହୁ, ରାଜେଶ ଦାସ ଓ ବୃନ୍ଦାବନ ପୃଷ୍ଟି ନିଜ ନିଜର ସଂଘୀୟ ବକ୍ତବ୍ୟ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଜିଲ୍ଲାର ସମସ୍ତ ବିଭାଗୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଉପସ୍ଥିତ ଥିବାବେଳେ ସମ୍ପାଦକ ଦିସ୍ତୀକାନ୍ତ ଜେନା ନିଜର କାର୍ଯ୍ୟକାଳ ସମୟର ବିବରଣୀ ଉପସ୍ଥାପନ କରିଥିଲେ । ମଂଚାସୀନ ଅତିଥିମାନେ ବକ୍ତବ୍ୟ ଛଳରେ ସଂଘର ସ୍ଥିତି, କାର୍ଯ୍ୟ ପଦ୍ଧତି, ଲକ୍ଷ୍ୟ, ଉଦେ୍ଦଶ୍ୟ ଓ ଦଳୀୟ ସହଯୋଗ କାମନା କରିଥିଲେ ।
ସମସ୍ତ ବର୍ଗର ଶିକ୍ଷକମାନଙ୍କର ଉପସ୍ଥିତି ଓ ସହଯୋଗ କାମନା କରି ଶ୍ରୀ ଦଣ୍ଡପାଟ ପ୍ରସ୍ତାବ ଗ୍ରହଣ କରିଥିଲେ । ନୂତନ ଭାବେ ପ୍ରଣୀତ ବଦଳି ନିଦେ୍ର୍ଦଶାବଳୀ ସମ୍ବନ୍ଧରେ କେତେକ ଦିଗରେ ସଂଶୋଧନ ସହିତ ପୁର୍ନବିଚାରର ଆବଶ୍ୟକତା ପ୍ରତି ସଂଘ, ବିଭାଗ ନିକଟରେ ଦାବୀ ଉପସ୍ଥାପନ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନୂତନ ଭାବେ କମିଟି ପୁର୍ନଗଠନ କରାଯାଇଥିଲା । ଏଥିରେ ନିର୍ବାଚିତ ସଦସ୍ୟମାନେ ଯଥାକ୍ରମେ ସଭାପତି ଭାବେ ଚିତ୍ତରଞ୍ଜନ ପ୍ରତିହାରୀ, ଉପସଭାପତି ରୋହିନ କୁମାର ମହାନ୍ତ, ସମ୍ପାଦକ ଧ୍ରୁବଚରଣ ମୁର୍ମୁ, ସହସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସଂଗଠନ ସମ୍ପାଦକ ଜୟନ୍ତ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ପଦ୍ମଲୋଚନ ଆଚାର୍ଯ୍ୟ, ଅଡିଟର ରାମଚନ୍ଦ୍ର ମାଝୀ ଓ ଶାନ୍ତନୁ କୁମାର ସାହୁ, ମହିଳା ପ୍ରତିନିଧି ତେଜସ୍ୱିନୀ ନାୟକ ଓ ଲକ୍ଷ୍ମୀପ୍ରିୟା ସାସ୍ମଲ ଏବଂ ଉପଦେଷ୍ଟା ଭାବେ ଦେବେନ୍ଦ୍ର କୁମାର ପଣ୍ଡା, ଦୀପକ କୁମାର ଦଣ୍ଡାପଟ, ବିଶ୍ୱନାଥ ସାହୁ ଓ ଦୀପ୍ତିକାନ୍ତ ଜେନା ପ୍ରମୁଖଙ୍କ ନାମ ଘୋଷଣା କରାଯିବା ସହ ଶପଥ ଗ୍ରହଣ କରିଥିଲେ । ଏହାଛଡା ବିଭିନ୍ନ ବର୍ଗର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣେ ଲେଖାଏଁ ଶିକ୍ଷକ ପ୍ରତିନିଧିଙ୍କୁ କୋର ଗ୍ରୁପ ସଭ୍ୟ ଭାବେ ସାମିଲ କରାଯାଇଥିଲା । ବିଭାଗୀୟ ଶିକ୍ଷାମଣ୍ଡଳାଧୀଶ ଚନ୍ଦ୍ରଭାନୁ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ମାନସ ରଂଜନ ତ୍ରିପାଠୀ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । କରୋନା ସମୟର ଓ ପରବର୍ତ୍ତୀ କାଳର ସମସ୍ତ ଦିବଙ୍ଗତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବିଶ୍ୱନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିବାକୁ ସଭାପତିଙ୍କ ଅନୁମତି ଲୋଡିଥିଲେ ।