ସମସ୍ୟା ଘେରରେ ବେତନଟୀ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର : କେଉଁଠି ଅଙ୍ଗନବାଡି ଗୃହ ନାହିଁ ତ ପୁଣି କେଉଁଠି ଘର ଥାଇ ମଧ୍ୟ ଅଙ୍ଗନବାଡି ଦିଦି ନାହାନ୍ତି
ବେତନଟୀ : ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶିକ୍ଷାକୁ ନେଇ ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ ଅନେକ ସମୟରେ ପ୍ରକୃତରେ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲ୍ଲା ଅଧୀନ ବିଭିନ୍ନ ବ୍ଲକରେ ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଥିବା ଅନେକ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ବହୁ ସମସ୍ୟା ଥିବା ଦେଖିବାକୁ ମିଳିଛି। ଅନୁରୂପ ଭାବେ ବେତନଟୀ ବ୍ଲକରେ ସମୁଦାୟ ୨୮୨ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେଥିମଧ୍ୟରୁ ମେନ ଅଙ୍ଗନୱାଡ଼ି ୨୧୩ଟି ଓ ମିନି ଅଙ୍ଗନୱାଡ଼ି ୬୯ଟି ଥିବା ଜଣାଯାଇଛି l ଆଶ୍ଚର୍ଯ୍ୟର କଥା ହେଉଛି କି ଅନେକ କେନ୍ଦ୍ରର ନିଜସ୍ବ ଗୃହ ନାହିଁ ଏବଂ ଅନ୍ୟ କିଛି କେନ୍ଦ୍ରରେ ବିଭିନ୍ନ କାରଣ ପାଇଁ ଅଙ୍ଗନୱାଡ଼ି ଦିଦି ନଥିବା ଅଭିଯୋଗ ହୋଇଆସୁଅଛି l ସେହି ଭଳି ସ୍ଥାନୀୟ ସମସ୍ୟା ଯୋଗୁଁ କିଛି ଅଙ୍ଗନୱାଡ଼ି କେନ୍ଦ୍ରର ଘରର କାମ ବର୍ଷ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଥିବା ବେଳେ କେଉଁଠି ଭଡା ଘର ରେ ମଧ୍ୟ ଶିକ୍ଷାଦାନ କାର୍ଯ୍ୟ ଚାଲୁଥିବା ଦେଖାଯାଇଛି।
ମିଳିଥିବା ସୂଚନା ଅନୁସାରେ ବେତନଟୀ ବ୍ଲକର ଏହିଭଳି ଅବ୍ୟବସ୍ଥା ଘେରରେ ୭୦ଟି ଅଙ୍ଗନୱାଡ଼ି ଗୃହ ଥିବା ଜଣାଯାଇଛି l ସେଥିମଧ୍ୟରୁ ୩୦ଟି ଅଙ୍ଗନୱାଡ଼ି ଗୃହ ଓମବାଡସି(OMBADC) ଅଧୀନରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ୧୦ ଟି କେନ୍ଦ୍ର ପାଇଁ ଏପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇପାରିନାହିଁ l ଅନ୍ୟପଟେ ୧୦ଟି କେନ୍ଦ୍ରରେ ସରକାରୀ ଜମି ଉପଲବ୍ଧ ହେଉ ନଥିବାରୁ ଗୃହ ନିର୍ମାଣ ହୋଇପାରୁନି ଏବଂ ୨୦ଟି କେନ୍ଦ୍ରରେ ସ୍ଥାନୀୟ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି l ଭଡା ଘରେ ଚାଲୁଥିବା ଅଙ୍ଗନବାଡି ଦିଦିଙ୍କ କହିବାନୁଯାଇ ପୂର୍ବରୁ ଭଡା ବାବଦକୁ ମାତ୍ର ୨ଶହ ଟଙ୍କା ମିଳୁଥିଲା ଏବେ ସେହି ରାଶିକୁ ବୃଦ୍ଧି କରାଯାଇ ୧୦୦୦ ଟଙ୍କା କରାଯାଇଛି।
ଉକ୍ତ ୧୦୦୦ ଟଙ୍କାରେ ବିଦ୍ୟୁତ ଓ ଶୌଚାଳୟ ଯୁକ୍ତ କଂକ୍ରିଟ ଛାତ ଘର ମିଳିବା ସମ୍ଭବ ହେଉ ନଥିବା ବେଳେ ଯାହାପାଇଁ ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଅଙ୍ଗନୱାଡି ଦିଦି ଓ ପାଚିକା ମାନେ କେବେ ବରଗଛ ମୂଳେ ତ କେବେ କାହା ଦାଣ୍ଡ ପିଣ୍ଡାରେ କିମ୍ବା ପରିତ୍ୟକ୍ତ ଘରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେନ୍ଦ୍ର ଚଳାଉଛନ୍ତି l ଏହି ପରି ଭାବେ ବିଭିନ୍ନ ସମସ୍ୟା ଥିବା ସତ୍ତ୍ୱେ ସେହି ଅଞ୍ଚଳ ମାନଙ୍କରେ କୁନି କୁନି ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ସମେତ ପୋଷକ ଯୁକ୍ତ ଖାଦ୍ୟ ପାଉ ନ ଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ବେତନଟୀ ଅଞ୍ଚଳର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି।
