Odisha news

୯ ଦଫା ଦାବି ନେଇ ନୂଆ ଜଗନ୍ନାଥ ସଡ଼କ ୭ ଘଣ୍ଟା ଅବରୋଧ : ଆଲୋଚନାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ

0

ନିରାକାରପୁର, ୩୦/୧: ଅଞ୍ଚଳର ବିଭିନ୍ନ ସମସ୍ୟା ଦୂର କରିବା ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ବି ଏହାର କୌଣସି ସୁଫଳ ନ ମିଳିବା ପରେ ଆଜି ସମାଜସେବୀ ଶୁଭମ୍ ଦାଶ ଙ୍କ ଆବାହକତ୍ୱରେ ଅବିଭକ୍ତ ନିରାକାରପୁର ପଞ୍ଚାୟତର ଜନ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣଙ୍କ ସମେତ ଖୋର୍ଦ୍ଧା , ଟାଙ୍ଗୀ ବ୍ଲକର ୧୧ ଜଣ ସରପଂଚ ଓ ୯ ଜଣ ସମିତି ସଭ୍ୟ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଠାରେ ନୂଆ ଜଗନ୍ନାଥ ସଡ଼କ କୁ ସକାଳ ସାଢେ଼ ୯ ଟା ରୁ ଅବରୋଧ କରି ୯ ଦଫା ଦାବି ପୂରଣ ପାଇଁ ନାରାବାଜି କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ନିରାକାରପୁରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ, ନରେନ୍ଦ୍ରପୁର କୁ ରାଜସ୍ବ ଗ୍ରାମର ମାନ୍ୟତା, ଭୂମିହୀନଙ୍କୁ ଜମି ପଟ୍ଟା, ନିଶା କାରବାର କୁ ସମ୍ପୁର୍ଣ ବନ୍ଦ କରାଯାଉ, ଖରାଦିନ ପୂର୍ବରୁ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବା, ସ୍ଥାନୀୟ ହାଇସ୍କୁଲ ରେ ଅଭାବୀ ଶିକ୍ଷକ ପଦବୀ ପୂରଣ, ଜଣେ ବିଇଓ ଙ୍କୁ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଓ କାର୍ଯ୍ୟ ହୋଇଥିବା ୫ ଟି କାର୍ଯ୍ୟର ସ୍ଥାୟୀତ୍ବ କୁ ନେଇ ତଦନ୍ତ, ଯୋଗ୍ୟ ହିତାଧିକାରୀଙ୍କୁ ଯେ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଈ ଗୃହ ଯୋଗାଣ କରିବା, କପିଳେଶ୍ଵର ଓ ମା ଭୈରବୀ ପୀଠ କୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ସହିତ ଟାଟା ବିଦ୍ୟୁତ୍ କମ୍ପାନୀର ମନମୁଖୀ କାର୍ଯ୍ୟ ବନ୍ଦ ଭଳି ୯ ଦଫା ଦାବି ରହିଛି। ରାସ୍ତା ଅବରୋଧ ସକାଳ ସାଢେ଼ ୯ ଟା ରୁ ଆରମ୍ଭ ହୋଇଥିବାବେଳେ ଘଟଣାସ୍ଥଳକୁ ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ, ବାଲୁଗାଁ ଏସ ଡି ପି ଓ ମାନସ ରଞ୍ଜନ ବାରିକ, ଅବକାରୀ ବିଭାଗ ଡି ଏସ ପି ସୁମିତ୍ରା ଓରାମ, ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଓ ଅବକାରୀ ବିଭାଗ ଟାଙ୍ଗୀ ଇନିସପେକ୍ଟର ଆଲୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିବା ସହିତ ଆସନ୍ତାକାଲି ଦିନ ୧୧ ଟାରେ ଏକ କମିଟି ସହିତ ଜିଲ୍ଲାସ୍ତରୀୟ ସଂପୃକ୍ତ ଦାବି ସମ୍ପର୍କୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ୪ଟା ୪୪ ମିନିଟରେ ଅବରୋଧ ହଟିଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବା ସହିତ ରେଳ ଫାଟକ ନିକଟରେ ରେଳ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ।

Nalco
Leave A Reply