Odisha news

ଚମାଖଣ୍ଡି ହାଜତ ମୃତ୍ୟୁ ମାମଲା ଏଟିଆର୍‌ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

0

ବ୍ରହ୍ମପୁର, ୨୭/୧୧ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ଘଟିଥିବା ହାଜତ ମୃତ୍ୟୁ ମାମଲାରେ ‌ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)। ହାଜତ ମୃତ୍ୟୁ ମାମଲା ଘଟଣାରେ ଲୋକଙ୍କ ମାନବ ଅଧିକାରର ସୁରକ୍ଷା ପାଇଁ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍‌ଏଚ୍‌ଆର୍‌ସି ନିକଟରେ ଦାଖଲ କରିଥିବା ପିଟିସନ୍‌ରେ ଅନୁରୋଧ କରିଥିଲେ। ଏନ୍‌ଏଚ୍‌ଆର୍‌ସି ଏହାକୁ ଗ୍ରହଣ କରି ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କୁ ଏକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏନ୍‌ଏଚ୍‌ଆର୍‌ସି ୬ସପ୍ତାହ ମହଲତ ଦେଇଛନ୍ତି। ଏହା ସହିତ ଘଟଣାର ବିଭିନ୍ନ ଦିଗ ଉପରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।
ଗଞ୍ଜାମ ପୁଲିସ ଜିଲ୍ଲାର ଚମାଖଣ୍ଡି ଥାନାରେ ଅଟକ ଥିବା ଜଣେ ଯୁବକ ଗତ ଅକ୍ଟୋବର ୧ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ମୃତକ ଜଣକ ହେଉଛନ୍ତି ଚମାଖଣ୍ଡିର ସି.ଏଚ୍‌ ତ୍ରିଲୋଚନ ରେଡ୍ଡି(୩୨)। ଆତତ୍ମହତ୍ୟା ଘଟଣାର ପୂର୍ବଦିନ ତ୍ରିଲୋଚନ ଘରେ ଗଣ୍ଡଗୋଳ କରିବାରୁ ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତ୍ରିଲୋଚନଙ୍କୁ ଥାନାକୁ ଆଣିଥିଲା। ହେଲେ ଗତ ଅକ୍ଟୋବର ମାସ ୧ତାରିଖ ସକାଳେ ତ୍ରିଲୋଚନ ଥାନାର ପାଇଖାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ ଦେଖିବାକୁ ପାଇଥିଲା। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବର ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ଗଞ୍ଜାମ ଜିଲ୍ଲାରେ ବାରମ୍ବବାର ହାଜତ ମୃତ୍ୟୁ ଘଟଣା ନଜରକୁ ଆସୁଛି। ଏହାକୁ ନେଇ ଲୋକଙ୍କ ମାନବ ଅଧିକାର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରି ସାମାଜିକ କର୍ମୀ ଶ୍ରୀ ମିଶ୍ର ଏନ୍‌ଏଚ୍‌ଆର୍‌ସି ନିକଟରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍‌ଏଚ୍‌ଆର୍‌ସି ପିଟିସନ୍‌ ଗ୍ରହଣ କରି ଏହି ମାମଲାରେ ଏଟିଆର୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ବିରୋଧ ହୋଇଥିବା ଅଭିଯୋଗ, ରୁଜୁ ହୋଇଥିବା ଏଫ୍‌ଆଇର୍‌ର ନକଲ, ଆରେଷ୍ଟ ମେମୋ, ଇନ୍‌ସ୍ପେକସନ୍‌ ମେମୋ, ସଜର୍‌ ମେମୋ, ଏମ୍‌ଏଲ୍‌ସିର ନକଲ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବାକୁ ଏନ୍ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

Govt
Leave A Reply