ଯୋଡା, ୧୪/୧୦ କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ରରେ ଏବେ ପୁଣି ଥରେ ମାଓବାଦୀ ସେମାନଙ୍କର ଉପସ୍ଥିତି ଜାହିର କରିବା ସହିତ ଏକ ପୋଷ୍ଟର ମାଧ୍ୟମରେ ସରକାରଙ୍କ ନିୟମ କାନୁନ୍ ନ ମାନିବା ପାଇଁ ଖୋଲା ଖୋଲି ଆହ୍ଵାନ କରିଛନ୍ତି । ଏନେଇ ଖଣି ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ଶୁକ୍ରବାର ଦିନ ସକାଳୁ ଯୋଡା ଥାନା ଅନ୍ତର୍ଗତ ତଥା ସହର ଉପକଣ୍ଠ ରଣାଶାଳ ଘାଟିରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଭାରତ ପବ୍ଲିକ୍ କମ୍ୟୁନିଷ୍ଟ ପାର୍ଟୀ ମାର୍କସବାଦୀ ଲେଖାଥିବା ବେଳେ ତାଙ୍କର ନିଜସ୍ଵ ଆଇନ ରହିଛି,ନିଜସ୍ଵ ଢଙ୍ଗରେ ଏହି ସଂଗଠନ କାମ କରିଥାଏ । ସରକାରଙ୍କ ତିଆରି କୌଣସି ନିୟମକୁ ସେମାନେ ମାନନ୍ତି ନାହିଁ । ସରକାରଙ୍କ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଶେଷରେ ଲାଲ ସଲାମ୍ ବୋଲି ଧଳା କନାରେ ନାଲି ଅକ୍ଷରରେ ଲେଖା ଯାଇଛି । ପୋଷ୍ଟର ଲେଖାଶୈଳୀକୁ ନେଇ ମାଓବାଦୀଙ୍କ ବ୍ୟାନର ବୋଲି ଅନୁମାନ କରାଯାଉଥିବା ବେଳେ ବଡବିଲ ଏସଡିପିଓ ଘଟଣାକୁ ଅସ୍ୱୀକାର କରିଥିଲେ । ଏହା ମାଓବାଦୀଙ୍କ ଦ୍ୱାରା ଲେଖାଯାଇଥିବା ପୋଷ୍ଟର କି ବ୍ୟାନର ଭଳି ମନେ ହେଉନାହିଁ । ତଥାପି ଯୋଡା ଥାନା ଅଧିକାରୀଙ୍କୁ ତଦନ୍ତର ଭାର ଦିଆଯାଇଛି । ତଦନ୍ତ ପରେ ଫଳାଫଳ ଯାହା ଆସିବ ବୋଲି ବଡବିଲ ଏସଡିପିଓ ସନ୍ତୋଷ ବାରିକ କହିଛନ୍ତି ।
