Odisha news

ମାଝୀଗୁଡାରେ ଅଭାବନୀୟ ଘଟଣା : ପାଣି ଭର୍ତ୍ତି ଗର୍ତ୍ତରେ ବୁଡି ୪ ଶିଶୁ ମୃତ ,୩ ନାବାଳିକା ଓ ଜଣେ ନାବାଳକ

0
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଞ୍ଚାୟତରେ ମାଝିଗୁଡା ଗ୍ରାମରେ ଏକ ଅଭାବନୀୟ ଓ ଦୁଃଖତ ଘଟଣା ଘଟିଛି।୩ ପରିବାରର ୪ ଜଣ ଶିଶୁ  ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଭାରତମାଳା ଯୋଜନା ନିମନ୍ତେ ଏଚ. ଜି. ଇନ୍ଫ୍ରା ନାମକ ସଂସ୍ଥା ରାସ୍ତା ନିର୍ମାଣ କରୁଛନ୍ତି।ଉକ୍ତ ଗ୍ରାମ ନିକଟରେ ଠିକାଦାର ରାସ୍ତା ନିର୍ମାଣ ପାଇଁ ଜମିରୁ ମାଟି ବାହାର କରିଦେଇଥିବାରୁ ଉକ୍ତ ଜମିରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ବର୍ଷା ହୋଇଥିବାରୁ ଉକ୍ତ ଗର୍ତ୍ତରେ ପାଣି ଜମି ରହିଥିଲା। ମାଝୀଗୁଡା ଗ୍ରାମର ସମରା ଶୁକ୍ରୀଙ୍କ ୬ ବର୍ଷର ଝିଅ ବିମଳା ଶୁକ୍ରୀ ଓ ୪ ବର୍ଷର ଝିଅ ରଇଲା ଶୁକ୍ରୀ, ଧନୁର୍ଜୟ ହନ୍ତାଲଙ୍କ ୬ ବର୍ଷର ପୁଅ ମଧୁସୂଦନ ହନ୍ତାଲ ଏବଂ ସନିଆ ହନ୍ତାଲଙ୍କ ୭ବର୍ଷର ଝିଅ ପୂର୍ଣ୍ଣୀ ହନ୍ତାଲ ଖେଳିବା ପାଇଁ ଉକ୍ତ ପାଣି ଭର୍ତ୍ତି ଗର୍ତ୍ତ ନିକଟକୁ ଯାଇଥିଲେ । ଘରକୁ ଖାଇବା ପାଇଁ ପିଲାମାନେ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।ଉକ୍ତ ଗର୍ତ୍ତ ନିକଟକୁ ଆସି ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀମାନଙ୍କ ସହାୟତାରେ ମୃତ ଦେହ ଉଦ୍ଧାର କରଯାଇଥିଲା। କୋରାପୁଟ ସଦର ଥାନାକୁ ଖବର ଦେବା ପରେ କୋରାପୁଟ ଉପ ଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ ଓ ସଦର ଥାନା ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ୪ ଶିଶୁଙ୍କ ଶବ ଉଦ୍ଧାର କରି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହ ମେଡିକାଲ କଲେଜ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆସି ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ।ଏହା ଏକ ଦୁଃଖତ ଘଟଣା ଅଟେ ବୋଲି ସେ ପ୍ରକାଶ କରିବା ସହ ସରକାରଙ୍କ ତରଫରୁ ରହିଥିବା ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଗ୍ରାମବାସୀମାନେ ବାରମ୍ବାର କହିବା ସତ୍ବେ ମଧ୍ୟ ସଂସ୍ଥା ତରଫରୁ ଉକ୍ତ ଗର୍ତ୍ତିରେ ମାଟି ଭର୍ତ୍ତି ନ କରିବାରୁ ଆଜି ଏକ ଦୁଃଖତ ଘଟଣା ଘଟିଯାଇଛି।ଏହି ଘଟଣା ପାଇଁ ଉକ୍ତ ସଂସ୍ଥା ସଂପୂର୍ଣ୍ଣ ଭାବେ ଦାୟୀ ବୋଲି କଂଗ୍ରେସ ନେତା ରମେଶ ଖରା ଅଭିଯୋଗ କରିବା ସହ ପରିବାରବର୍ଗଙ୍କୁ କ୍ଷତି ପୂରଣ ନ ମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି।
Leave A Reply