ଜମନକିରା,୩୧/୫: ଜମନକିରା ବ୍ଲକ ସଦର ମହକୁମା ହୋଇଥିବା ବେଳେ ପଞ୍ଚାୟତରେ ନା ରହିଛନ୍ତି ସ୍ଥାୟୀ ନିର୍ବାହୀ ଅଧିକାରୀ ନା ରହିଛନ୍ତି ସ୍ଥାୟୀ ଜିଆରଏସ। ବାରମ୍ବାର ଅଭିଯୋଗ ସତ୍ବେ ସମାଧାନ କରୁନି ବ୍ଲକ୍ ପ୍ରଶାସନ। ତେବେ ୭ ଦିନ ମଧ୍ୟରେ ସମାଧାନ ନହେଲେ କାର୍ଯ୍ୟାଳୟକୁ ଅଚଳ କରେଇ ଦିଆଯିବ ବୋଲି ବ୍ଲକ୍ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଡ଼ିଓ ଙ୍କୁ ଚେତାବନୀ ଦିଆଯାଇଛି। ଏ ସଂକ୍ରାନ୍ତରେ ବିଡ଼ିଓ ଟୁନୁ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ୭ ଦିନ ମଧ୍ୟରେ ସ୍ବତନ୍ତ୍ର ଭାବେ ପିଇଓ ଏବଂ ଜିଆରଏସ ନିଯୁକ୍ତି ଦିଆଯିବ ବୋଲି କହିଥିଲେ।
ସୂଚନା ଯୋଗ୍ୟ ଯେ, ସଦର ମହକୁମା ଜମନକିରା ପଞ୍ଚାୟତ ରେ ମନୋଜ କୁମାର ପଟେଲଙ୍କୁ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ଵ ଦିଆଯାଇଛି। ମାତ୍ର ଶ୍ରୀ ପଟେଲ ଏହା ପୂର୍ବରୁ ଭୋଜପୁର ପଞ୍ଚାୟତର ମଧ୍ୟ ଦାଇତ୍ୱ ନେଇଛନ୍ତି। ଯାହା ଫଲରେ ପଞ୍ଚାୟତ ଅଧିକାରୀ ଉଭୟ ପଞ୍ଚାୟତର ଦାୟିତ୍ଵ ଠିକରେ ତୁଲାଇ ପାରୁନାହାନ୍ତି। ଭୋଜପୁର ପଞ୍ଚାୟତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜମନକିରା ପଂଚାୟତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ସେହିପରି ଜିଆରଏସ ସରୋଜ କୁମାର ଆଚାର୍ଯ୍ୟ ମଧ୍ୟ ଅନୁରୂପ ଭାବେ କସଡା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମଧ୍ୟ ଜମନକିରା ପଂଚାୟତ ଦାୟିତ୍ଵ ଦିଆଯାଇଛି। ପଞ୍ଚାୟତର ଉଭୟ ଅଧିକାରୀ ଅସ୍ଥାୟୀ ଭାବେ କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ପଞ୍ଚାୟତର କାର୍ଯ୍ୟ ସଠିକ ଭାବେ ସମ୍ପାଦନା ହେଉ ନଥିବା ନେଇ ପଂଚାୟତ ବାସୀ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ଜମନକିରାର କିଛି ମହିଳା ଜବକାର୍ଡ ପାଇଁ ଜମନକିରା ପଞ୍ଚାୟତକୁ ଯାଇଥିଲେ, କିନ୍ତୁ ଦୁଃଖର ବିଷୟ ସେଦିନ ଜିଆରଏସ ଅନୁପସ୍ଥିତ ଥିଲେ। ସେମାନେ ବହୁ ସମୟ ଅପେକ୍ଷା କରିବା ସତ୍ତ୍ୱେ ସେ ନା ଆସିବାରୁ ନିରାଶରେ ଫେରି ଯାଇଥିଲେ। ପଞ୍ଚାୟତକୁ ମହିଳା ମାନେ ଆସିଥିବା ବେଳେ ସେହି ସମୟରେ ଜମନକିରା ପଞ୍ଚାୟତ ଦାଇତ୍ୱରେ ଥିବା ଅଧିକାରୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କଠୁ କୌଣସି କାଗଜପତ୍ର ଗ୍ରହଣ କରି ନଥିଲେ।
ସେହି ମହିଳା ମାନଙ୍କ ଆଜି ପର୍ଯ୍ୟନ୍ତ ଜବକାର୍ଡ ତିଆରି ହୋଇ ପାରିନାହିଁ। ଜିଆରଏସ ଶ୍ରୀ ଆଚାର୍ଯ୍ୟ ଜମନକିରା ପଞ୍ଚାୟତରେ କେବେ ରହୁଛନ୍ତି କଣ କରୁଛନ୍ତି ତାହା କାହାରି ପାଖରେ ସୂଚନା ରହୁନାହିଁ।ଜିଆରଏସ ଜମନକିରା ଓ କସଡ଼ା ପଞ୍ଚାୟତ ଦାଇତ୍ୱରେ ଥିବା ହେତୁ ରହିପାରୁ ନଥିବା କଥା କହିଥିଲେ। ଜମନକିରାର ଅନ୍ୟ ଜଣେ ମହିଳା ଗତ ୧୮ ତାରିଖରେ ପଞ୍ଚାୟତକୁ ଏକ ଜରୁରୀ କାଗଜରେ ଦସ୍ତଖତ କରିବାପାଇଁ ଯାଇଥିଲେ। ହେଲେ ସେହିଦିନ ପଞ୍ଚାୟତ ଅଧିକାରୀ ଅନୁପସ୍ଥିତ ଥିଲେ। ହେଲେ ପଞ୍ଚାୟତ କାର୍ଯ୍ୟଳୟ ଉପରେ ନିର୍ଭର କରୁଥିବା ଜନସାଧାରଣ କିପରି ହଇରାଣ ହେଉଥିବେ ତାହା ଏଠାରେ ସ୍ପଷ୍ଟ ଅନୁମେୟ ହେଉଛି। ଏଠାରେ ପଞ୍ଚାୟତ ଅଧିକାରିଙ୍କୁ ନପାଇ ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ଜମନକିରା ପଞ୍ଚାୟତରେ ଏକ ସ୍ଥାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜଣେ ଗ୍ରାମ ରୋଜଗାର ସେବକ ସ୍ଥାୟୀ ନିଯୁକ୍ତି ଅତ୍ୟନ୍ତ ଜରୁରୀ। ଆସନ୍ତା ୭ ଦିନ ମଧ୍ୟରେ ସ୍ଥାୟୀ ନିଯୁକ୍ତି ନହେଲେ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।