ରାଜନଗର୨୦/୪ : ଦୁଇମାସ ଧରି ଖାଉଟି ସାମଗ୍ରୀ ନମିଳିବାକୁ ନେଇ ତାତିଲେ ବେଲପାଳ ଗ୍ରାମର ଶହଶହ ମହିଳା ଓ ପୁରୁଷ ରାସନକାର୍ଡ ଧାରୀ । ବୁଧବାର ପୂର୍ବାହ୍ନ ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ସଂଖ୍ଯାରେ ରାସନକାର୍ଡ ଧାରୀମାନେ ଉପସ୍ଥିତହୋଇ ରିଟେଲର ବିରୁଦ୍ଧରେ ନାରାବାଜି କରିବା ସହ ରିଟେଲରକୁ ବହିଷ୍କାର କରିବାକୁ ଦାବିକରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଅନ୍ୟ ଏକ ରିଟେଲର ମାଧ୍ୟମରେ ରାସନ ସାମଗ୍ରୀ ଯୋଗାଇ ଦେବାପାଇଁ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ।ବ୍ଲକ କାର୍ଯ୍ୟାଳୟ ପରିସରରେ ବେଲପାଳ ଗ୍ରାମର ରାସନକାର୍ଡଧାରୀ,ବରିଷ୍ଠ ବ୍ୟକ୍ତିତ୍ବ,ବୁଦ୍ଧିଜୀବୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକ ପ୍ରମୁଖ ରିଟେଲର ଦ୍ବାରା କରାଯାଇଥିବା ବିଭିନ୍ନ ଅନିୟମିତତା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରାଯାଇଥିଲା । ରିଟେଲର ନିରଞ୍ଜନ ବିଶ୍ଵାଳଙ୍କ ଅନିୟମିତତାର ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଥିଲେ ହିତାଧିକାରୀ । ରାସନକାର୍ଡ ଧାରୀ ହିତାଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ଯରେ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏସମ୍ପର୍କରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ପାଇଛି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ଯ ମଙ୍ଗଳବାର ରିଟେଲର ସପକ୍ଷରେ ବେଲପାଳ ଗ୍ରାମର ଶହଶହ ସଂଖ୍ଯାରେ ପୁରୁଷ ଓ ମହିଳା ଯୋଗାଣ ନିରୀକ୍ଷକଙ୍କୁ ନ୍ୟାୟ ପାଇଁ ଘେରିଥିବା ବେଳେ ବୁଧବାର ରିଟେଲର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନ୍ୟାୟ ପାଇଁ ଶହଶହ ସଂଖ୍ଯାରେ ମହିଳା ଓ ପୁରୁଷ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଘେରି ରହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ଯ ରିଟେଲରଙ୍କ ସପକ୍ଷବାଦୀଙ୍କ ପକ୍ଷରୁ ମଙ୍ଗଳବାର ଉପ-ଜିଲ୍ଲାପାଳଙ୍କ ଉଦେଶ୍ଯରେ ନ୍ୟାୟ ପାଇଁ ଦାବିପତ୍ର ଯୋଗାଣ ନିରୀକ୍ଷକଙ୍କୁ ପ୍ରଦାନ କରାଯାଇଥିବା ବେଳେ ବୁଧବାର ରିଟେଲରଙ୍କ ବିପକ୍ଷବାଦୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ଯରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନ୍ୟାୟ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଦେଖିବାକୁ ବାକିରହିଲା ପ୍ରଶାସନର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ଏହାକୁ ନେଇ ଚର୍ଚ୍ଚା ଯୋରଧରିଛି ।