Odisha news

ସଙ୍ଗୀତଜ୍ଞ, ଗୀତିକାର ତଥା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ

0

ପୁରୀ: ଯଶସ୍ବୀ ସଙ୍ଗୀତଜ୍ଞ, ଗୀତିକାର ତଥା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଭୁବନେଶ୍ବରରୁ ମରଶରୀର ଆସି ପୁର‌ୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା। ସୋମବାର ଅପରାହ୍‌ଣ ପ୍ରାୟ ୪ଟା ୫୦ ସମୟରେ ସେଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସଂପନ୍ନ ହୋଇଛି।  ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି।

ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ସମେତ ସ୍ବଗତଃ କରଙ୍କ ସାନପୁଅ ମହାପ୍ରସାଦ କର, ଝିଅ ସନ୍ଧ୍ୟାରାଣୀ, ୨ ବୋହୂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ.ବିଶାଳ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

ସୂଚନାଯୋଗ୍ୟ ବିଶିଷ୍ଟ ସଂଗୀତଜ୍ଞ ତଥା କମଳଦେଶର ରାଜକୁମାର ରୂପେ ପରଚିତ ପ୍ରଫୁଲ୍ଲ କରଙ୍କ ରବିବାର ଭୁବନେଶ୍ବର ସତ୍ୟନଗର ବାସଭବନରେ ଦେହାନ୍ତ ହୋଇଥିଲା। ସ୍ବର୍ଗତଃ ପ୍ରଫୁଲ୍ଲ କରଙ୍କୁ ମୃତ୍ୟୁବେଳକୁ ୮୩ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ୧୯୩୯ ଫେବୃଆରି ୧୬ରେ ପୁରୀଠାରେ ପ୍ରଫୁଲ୍ଲ କର ଜନ୍ମଗ୍ରହଣ କରିଥିଲେ। ବୈଦ୍ୟନାଥ କର ଓ ସୁଶିଳା କରଙ୍କ ପୁତ୍ର ପ୍ରଫୁଲ୍ଲଙ୍କ ପରିବାର ସଙ୍ଗୀତମୟ ଥିଲା। ତାଙ୍କ ପିତାଙ୍କ ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ବିଶିଷ୍ଟ ତବଲା ବାଦକ ଥିବାରୁ ବଡ଼ବଡ଼ କଳାକାରମାନେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞଙ୍କୁ ଶୁଣିବାର ସୁଯୋଗ ପାଇଥିଲେ। ଯାହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଘରେ ତାଙ୍କର ଲାଳନପାଳନ ହୋଇଥିଲା। ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ବଢିଥିଲେ। ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ।

ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ ପ୍ରଫୁଲ୍ଲ କର। ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା। ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ସେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। ଗୀତ ରଚନାରେ ସେ ଯେମିତି ସିଦ୍ଧହସ୍ତ ଥିଲେ, ତାହାକୁ ସଙ୍ଗୀତରେ ସଜାଇ ଓଡ଼ିଆ ଶ୍ରୋତାଙ୍କୁ ଚମତ୍କାର ଭେଟି ଦେଇଥିଲେ। ପୁଣି କଣ୍ଠଶିଳ୍ପୀ ଭାବେ ତାଙ୍କର ନିଆରା ସ୍ବର ଶ୍ରୋତାଙ୍କ ମନରେ ନିଆରା ଛାପ ଛାଡ଼ିଥିଲା। ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଥାପିଥିଲେ। ପ୍ରଥମ ଚଳଚ୍ଚିତ୍ରର ଆଠଟି ଯାକ ଗୀତ ସୁପର୍‌ହିଟ୍‌ ‌ହେବା ସହ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ଶ୍ରୀ କର। ଏହା ପରେ ଓଡ଼ିଆ ସଙ୍ଗୀତ ଜଗତରେ ସେ ବହୁ ବର୍ଷ ଧରି ଆଧିପତ୍ୟ ଜାହିର କରିଥିଲେ। ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସେ ଓଡ଼ିଆ ସଙ୍ଗୀତ ଭଣ୍ଡାରକୁ ପ୍ରାଚୁର୍ଯ୍ୟମୟ କରିଥିଲେ।

ଓଡ଼ିଆ ସଙ୍ଗୀତରେ ବହୁ ପରୀକ୍ଷାନିରୀକ୍ଷା କରିଥିଲେ ପ୍ରଫୁଲ୍ଲ କର। ବହୁ ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେଗୁଡ଼ିକ ମଧ୍ୟ ଶ୍ରୋତାଙ୍କ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ‌ଦୃଷ୍ଟିହୀନ ପିଲାଙ୍କୁ ନେଇ ସେ ‘କୃତାଞ୍ଜଳି’ ନାମରେ ଏକ କ୍ୟାସେଟ୍‌ କରିଥିଲେ। ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ଶ୍ରୀ କର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇ ବହୁ କଣ୍ଠଶିଳ୍ପୀ ରାଜ୍ୟ ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଜୟ‌ଦେବ ପୁରସ୍କାର’ ସେ ଲାଭ କରିଥିଲେ। ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ସଙ୍ଗୀତକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ।

Nalco
Leave A Reply