ବାରିପଦା : ୬ନଂ ୱାର୍ଡର ଏକ ବୁଥର ଇଭିଏମ୍ କୁ ବିନା ସିଲ୍ ରେ ନିଆଯିବାକୁ ନେଇ ଉତ୍ତେଜନା ପ୍ରକାଶ, କଂଗ୍ରେସ ଓ ବିଜେପି ପକ୍ଷରୁ ରାସ୍ତାରୋକ
ବାରିପଦା : ବାରିପଦା ପୌରପରିଷଦ ନିର୍ବାଚନ ପରେ ନିର୍ବାଚନୀ ଉତ୍ତେଜନା ସାରା ସହରରେ ପ୍ରକାଶ ପାଇଛି । ୱାର୍ଡ ନମ୍ବର ୬ ମତଦାନ ପରେ ଏକ ବୁଥ୍ରେ ପ୍ରାର୍ଥୀଙ୍କ ବିନା ଉପସ୍ଥିତି ଓ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ବିନା ଦସ୍ତଖତରେ ଇଭିଏମ୍କୁ ସିଲ୍ ନକରି ବିଜେଡି କର୍ମୀଙ୍କ ସହାୟତାରେ ପୋଲିଂ ଅଫିସର ଇଭିଏମ୍ଟିକୁ ନେଇ ଖସି ପଳାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭୋଟ୍ଦାନ ପରେ ଇଭିଏମ୍ର ସ୍ୱଚ୍ଛତାକୁ ନେଇ କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲା, ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ କବିବିଷ୍ଣୁ ଶତପଥୀ ଓ ୬ନଂ ୱାର୍ଡ ବିଜେପି କାଉନ୍ସିଲର ପ୍ରାର୍ଥୀ ପାଏଲ ରାଏ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେହିପରି ୬ନଂ ୱାର୍ଡର ଅନ୍ୟ ଏକ ବୁଥରେ ମଧ୍ୟ ଇଭିଏମ୍କୁ ସିଲ୍ କରାଯାଇନଥିବାରୁ ବିଜେପି ଓ କଂଗ୍ରେସ କର୍ମୀ ମାନେ ଇଭିଏମ୍କୁ ଛାଡିନଥିଲେ । ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ବାରିପଦା ତହସିଲଦାରଙ୍କ ସହ ଉଚ୍ଚପଦସ୍ତ ପୋଲିସ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।
ଏପରିକି ଉତ୍ୟକ୍ତ ଲୋକମାନେ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ । ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲା ଦାୟିତ୍ୱରେ ଥିବା ପୋଲିଂ ଅଫିସରଙ୍କ ବିରୋଧରେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ୬ନଂ ୱାର୍ଡର ୨ଜଣ ବିଜେଡି ନେତାଙ୍କ ସହାୟତାରେ ପୋଲିଂ ଅଫିସର ବିନା ସିଲ୍ରେ ଇଭିଏମ୍କୁ ନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି । ସାରା ସହରରେ ଏ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରିପୋର୍ଟ ଲେଖା ହେବା ସୁଧା କୌଣସି ସମାଧାନ ସୁତ୍ର ବାହାରି ପାରିନଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ଅପରପକ୍ଷରେ ଏନେଇ ଇଲେକ୍ସନ୍ ଅଫିସରଙ୍କ ପାଖରେ ଅଭିଯୋଗ କରିବାକୁ ପୋଲିସ ଅଧିକାରୀ ମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ ।