ତାଳଚେର ତା ୦୨/୦୩ ତାଳଚେର ପଂଚାୟତ ନିର୍ବାଚନ ନେତାଙ୍କ ମନରୁ ନଲିଭୁଣୁ ଏବେ ପୌରପରିଷଦ ନିର୍ବାଚନ ବିଗୁଲୁ ବାଜିଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି । ଚଳିତ ପୌରନିର୍ବାଚନରେ ସିଧାସଳଖଭାବେ ଭୋଟର ନଗରପାଳ ପ୍ରାର୍ଥିଙ୍କୁ ନିର୍ବାଚିତ କରିବାକୁ ନେଇ ମୁଖ୍ୟତଃ ନିର୍ବାଚନ କମିଶନର ଆଇନପ୍ରଣୟନ କରିଛନ୍ତି । ମୁଖ୍ୟତଃ ବିଜେଡ଼ି, ବିଜେପି ଓ କଂଗ୍ରେସ୍ ଦଳରେ ଏକାଧିକ ନଗରପାଳ ଆଶାୟୀ ପ୍ରାର୍ଥି ଥିବାରୁ ଏଥିନେଇ ଦଳୀୟ ନେତାଙ୍କ ମହଲରେ ମୁଣ୍ଡବ୍ୟଥାର କାରଣ ହୋଇଛି । ତେବେ ବିଜେପି ପକ୍ଷରୁ ନଗରପାଳ ପ୍ରାର୍ଥିନେଇ ପ୍ରକାଶ ମହାରଣା, ଦୟାସାଗର ମିଶ୍ର, ଯଯାତିପଟ୍ଟନାୟକ, ପୁପୁନା ଦାସ, ପର୍ଶୁରାମ ବାରିକ, ଦୀପକ ଥମ୍ବ, ଜିତେନ୍ଦ୍ର ଦାସ, ଦିଲ୍ଳୀପ ପାଣି, ଜୟନ୍ତ ଭୂୂତିଆ ଓ ବାଲ୍ମୀକୀ ପ୍ରସାଦ ଆଶାୟୀ ପ୍ରାର୍ଥି ଥିବା ବେଳେ ସେହିଭଳି ବିଜେଡ଼ି ପକ୍ଷରୁ ମହେଶ ଅଗ୍ରୱାଲ, ସୁଶିଲ ନାଥ, ପବିତ୍ର ଭୂତିଆ, ଚିତରଞ୍ଜନ ରାଉତ, ରମେଶ ବେହେରା, ଦିଲ୍ଳୀପ ପ୍ରଧାନ ପ୍ରମୁଖ ଆଶାୟୀ ରହିଛନ୍ତି ବୋଲି ବିଭିନ୍ନ ଚା’ଖଟିରୁ ଶୁଣିବାକୁ ମିଳେ । ସେହିଭଳି କଂଗ୍ରେସ୍ ଦଳପକ୍ଷରୁ କେଶବ ଭୂତିଆ, ବଜରଙ୍ଗ ଅଗ୍ରୱାଲ, ମାନସ ବାଇ, ଅରବିନ୍ଦ ଭୂତିଆ, ମନୋଜ ସାହୁ ପ୍ରମୁଖ ଆଶାୟୀ ପ୍ରାର୍ଥିଥିବା କୁହାଯାଉଛି । ତତ୍ ସହିତ କିଛି ନୂତନ ଶିକ୍ଷିତ ଯୁବକ ସ୍ୱାଧୀନପ୍ରାର୍ଥି ଭାବେ ନଗରପାଳ ପଦବୀ ପାଇଁ ଆଶାୟୀ ଅଛନ୍ତି । ୨୧ଟି ୱାର୍ଡ଼କୁ ନେଇ ତାଳଚେର ପୌରପରିଷଦ ଗଠିତ । ଏଥି ମଧ୍ୟରୁ ଚଳିତ ନିର୍ବାଚନରେ ୧୧ଜଣ ମହିଳା କାଉନସିଲର ସଂରକ୍ଷଣ ରହିଥିବା ବେଳେ ୧୦ଟି ୱାର୍ଡ଼ରେ ପୁରୁଷ କାଉନସିଲର ରହିଛନ୍ତି, ଏବଂ ଉପନଗରପାଳ ପଦଟି ମହିଳା ସଂରକ୍ଷଣ ରହିଛି । ସେହିଭଳି ନଗରପାଳ ପଦଟି ସିଧାସଳଖଭାବେ ରହିଥିବା ବେଳେ ଉପନଗରପାଳକ ପଦକୁ ୨୧ଟି କାଉନସିଲଙ୍କ ଦ୍ୱାରା ନିର୍ବାଚିତ କରାଯିବ । ତେଣୁ ଆଗାମୀ ଦିନରେ କିଏ ଦଳୀୟ ଟିକେଟ୍ ପାଇବ ଓ କିଏ ଜିତିବ ଏହାକୁ ନେଇ ଉଠିଛି ପ୍ରଶ୍ନ ହେଉଛି ଚର୍ଚ୍ଚା ।