ବୁଗୁଡ଼ା : ତା ୦୨/୦୩/୨୨ : ବୁଗୁଡ଼ା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ଏବେ ପୌର ନିର୍ବାଚନ ପାଇଁ ୨ ତାରିଖ ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବା ବେଳେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରିନଥିବା ବେଳେ ପ୍ରଥମ ଦିନରେ ନାମାଙ୍କନ ଦାଖଲ ଶୂନ ରହିଥିବା ନେଇ ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି । ଚଳିତ ପୌର ନିର୍ବାଚନରେ ନଗରପାଳ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଥିବା ଯୋଗୁଁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ଏବେ ବି ସସପେନ୍ସ ରହିଛି । ବୁଗୁଡା ଏନଏସିର ୧୩ଟି ୱାର୍ଡ ପାଇଁ କେଉଁ ଦଳ କାହାକୁ କାଉନସିଲର ପ୍ରାର୍ଥୀ କରିବ ସେଥିନେଇ ରାଜନୈତିକ ଦଳ ଗୁଡିକ ମଧ୍ୟରେ ତର୍ଜମା ଓ ଆଲୋଚନା ଜାରି ରହିଛି । ବିଭିନ୍ନ ରାଜନୈତିକ ଦଳର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ କିଛି ଆଶାୟୀ କାଉନସିଲର ପଦ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଦଳ ପ୍ରାର୍ଥୀ ନକଲେ ସେମାନେ ସ୍ବାଧୀନ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିବା ସହ କିଛି ଦଳରେ ରହି ବିଦ୍ରୋହୀ ଭୂମିକାରେ ରହିପାରନ୍ତି ବୋଲି ଆଲୋଚନା ହେଉଛି ।
ରାଜନୈତିକ ଦଳ ଗୁଡିକ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପୌର ନିର୍ବାଚନରେ କିଭଳି କଡ଼ା ମୁକାବିଲା କରିବେ ସେଥିନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । କାହାକୁ ଅଧ୍ଯକ୍ଷ ପ୍ରାର୍ଥୀ କଲେ ଅନ୍ଯ ଦଳର ପ୍ରାର୍ଥୀଙ୍କୁ ମୁକାବିଲା କରିପାରିବେ ସେନେଇ କାଉନସିଲର ପାଇଁ ସଠିକ୍ ପ୍ରାର୍ଥୀଙ୍କ ଅନୁସନ୍ଧାନରେ ସମସ୍ତ ରାଜନୈତିକ ଦଳ ରହିଛନ୍ତି ।ବିଜେଡି ପକ୍ଷରୁ ନିର୍ବାଚନ କମିଟି ଗଠନ କରି ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ଚୟନ ପ୍ରକ୍ରିୟା କିଭଳି ଚାଲିଛି ସେନେଇ ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ । ବିଜେଡି, ବିଜେପି ଓ କଂଗ୍ରେସକୁ ବାଦ୍ ଦେଲେ ବୁଗୁଡ଼ା ଏନଏସି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବି ଲଢ଼ିପାରନ୍ତି । କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀତ୍ବକୁ ନେଇ ସ୍ପଷ୍ଟ ଚିତ୍ର ମିଳୁନଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରୁ ଅଧ୍ଯକ୍ଷ ପ୍ରାର୍ଥୀ କିଏ କିଏ ହେବ ତାହା ଜାଣିବାକୁ ରାଜନୈତିକ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ବେଳେ ଚୂଡ଼ାନ୍ତ ତାଲିକା ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ। ଏନ୍ଏସିର ଅଧ୍ଯକ୍ଷ ପଦବୀ ଠାରୁ ଆରମ୍ଭ କରି କାଉନସିଲର ପଦ ପର୍ଯ୍ୟନ୍ତ ପ୍ରତ୍ୟେକରେ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ , ଯାହାକୁ ପ୍ରାର୍ଥୀ କରିବ ତା’କୁ ଅନ୍ୟମାନେ ସମର୍ଥନ କରିବେ ନା ନାହିଁ , ସମର୍ଥନ ନକଲେ ଦଳରେ ରହି ବିଦ୍ରୋହୀ ଭୂମିକାରେ ରହିବେ କି, ଚୟନ ପ୍ରକ୍ରିୟାରେ ତ୍ରୁଟି ହେଲେ ତାହା ଦଳ ପାଇଁ ବୁମେରାଂ ହେବ ନାହିଁ ତ , ଏଭଳି ଅନେକ ଦିଗକୁ ନେଇ ସମସ୍ତ ରାଜନୈତିକ ଦଳର ମାନସ ମନ୍ଥନ ପ୍ରକ୍ରିୟା ଜାରି ରହିଛି । ପ୍ରାର୍ଥୀ ଚୟନ ବେଳେ ଭୁଲଭାଲ ହେଲେ ଏହାର ଓଲଟା ଦଳ ଉପରେ ପଡ଼ିବା ଭଳି ଆଶଙ୍କା ବି ଦଳୀୟ ନେତାଙ୍କୁ ଘାରିଛି।