ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ଉପକଣ୍ଠ ନୂଆସାହି ଗ୍ରାମରେ ବୁଧବାର ସନ୍ଧ୍ୟା ସମୟରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡରେ ଅଭିଯୁକ୍ତ ପୁଅ ଓ ସହଯୋଗୀ ମା ଗିରଫ ହେବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ପ୍ରେମ ସମ୍ପର୍କକୁ ନେଇ ନୂଆସାହି ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗିରହିଥିଲା। ଏହାର ଫଳ ସ୍ଵରୂପ ଗୋଟିଏ ପରିବାରର କାର୍ତ୍ତିକ ସିଂର ପୁଅ ଜୟଦେବ (୨୭) ଅନ୍ୟ ଏକ ପରିବାର ଶଙ୍କରା ସିଂ (୫୨)ଙ୍କୁ ଗତକାଲି ସନ୍ଧ୍ୟା ସମୟରେ ଏକ ଧାରୁଆ ଅସ୍ତ୍ର ଯୋଗେ ହତ୍ୟା କରିଥିବା ଜଣାଯାଇଛି। ଆଜି ଗୁରୁବାର ଦିନ ସାଇଣ୍ଟିଫିକ ଟିମ ହତ୍ୟା ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ମୃତକ ଶଙ୍କରାର ପୁଅ ଡମ୍ବରୁ ସିଂର ଏତଲା ଅନୁଯାୟୀ ଅଭିଯୁକ୍ତ ଜୟଦେବ ଏବଂ ହତ୍ୟା ପାଇଁ ପ୍ରବର୍ତ୍ତେଇବା ଅଭିଯୋଗରେ ତାଙ୍କ ମାଙ୍କୁ ବୈଶିଙ୍ଗା ପୁଲିସ ୪୪/୨୧ ମାମଲା ମୂଳେ ଗିରଫ କରି ବେତନଟୀ ଜେଏମଏଫସି ଅଦାଲତକୁ ପଠାଇ ଦେଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜଣାଯାଇଛି।