ଡେଲାଙ୍ଗ,୨୯/୧– ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ପାତ୍ରପଡା ଗ୍ରାମ ନିକଟରେ ଅବସ୍ଥିତ ପଥର ଖଣିରୁ ପୁଲିସ ବୁଧବାର ଜନୈକ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି।ପଥର ଖଣିରେ ଥିବା ଖାଲ ଜାଗାରେ ଜମି ରହିଥିବା ବର୍ଷା ପାଣିରେ ଶବଟି ପଡିରହି ପଚି ଦୁର୍ଗନ୍ଧ ବାହାରିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।ଖବର ପାଇ ଡେଲାଙ୍ଗ ଥାନାଧିକାରୀ ଅନିଲ କୁମାର ମହାନ୍ତି, ମହିଳା ଏସଆଇ ଲିଜା ମଲ୍ଲିକ,ଏଏସଆଇ ରାଜକିଶୋର ରାଉତ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ଏ ନେଇ ଡେଲାଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାବେଳେ ମୃତ ଯୁବକର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।ତା’ର ଆନୁମାନିକ ବୟସ ପ୍ରାୟ ୪୦ ବର୍ଷ ହେବବୋଲି ପୁଲିସ ପ୍ରାଥମିକ ତଦନ୍ତ ସମୟରେ ଆକଳନ କରିଛି।ଏହି ଅପମୃତ୍ୟୁ ଘଟଣା ନେଇ ପୁଲିସ ପକ୍ଷରୁ ଆଖପାଖ ଥାନାକୁ ଅବଗତ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।