ବୁଗୁଡ଼ା : ତା ୧୭/୦୧/୨୨ : ପ୍ରହସନ ପାଲଟିଛି ଭ୍ରାମ୍ୟମାଣ ଶୌଚାଳୟ l ଦୀର୍ଘ ମାସ ହେଲା ଲୋକ ଦେଖାଣିଆ ଥୁଆ ହେଇଛି l ନା ହୋଇଛି ପାଣି ବ୍ୟବସ୍ଥା ନା ଖୋଲା ଯାଇଛି ତାଲା । ଫଳରେ ଲୋକେ ପୂର୍ବରୁ ଯେଉଁ ରାସ୍ତା କଡ଼େ ପରିସ୍ରା କରୁଥିଲେ ଏବେ ସେମିତି ହିଁ ଚାଲିଛି l ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ l ସହରର ପଞ୍ଚା ଗଳି ଓ ପଶୁ ଚିକିତ୍ସାଳୟ ପରିସରରେ ଅଧିକାଂଶ ଯାତ୍ରୀ ଓ ଜନସାଧାରଣ ପରିସ୍ରା କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବୁଗୁଡ଼ା ଏନଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ବଖରା ଥିବା ଦୁଇଟି ଭ୍ରାମ୍ୟମାଣ ଶୌଚାଳୟ ସ୍ଥାପନ କରାଯାଇଥିଲା ଏବଂ ଶୌଚାଳୟରେ ପାଣି ବ୍ୟବସ୍ଥା ପାଇଁ ଶୌଚାଳୟ ଉପରେ ପାଣି ଟାଙ୍କି ବସାଇବା ପାଇଁ ବ୍ୟବସ୍ଥା ଥିଲା । ତେବେ ଉକ୍ତ ସ୍ଥାନରେ ଦୀର୍ଘ ୩ ମାସରୁ ଉର୍ଦ୍ଧ ହେଲା ଭ୍ରାମ୍ୟମାଣ ଶୌଚାଳୟ ରଖା ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପାଣି ବ୍ୟବସ୍ଥା ହୋଇନି କି ଶୌଚାଳୟ ରଖିବା ଦିନ ଠାରୁ ତାଲା ଖୋଲାଯାଇନଥିବା ଫଳରେ ଲୋକେ ଉକ୍ତ ଶୌଚାଳୟ କଡ଼ରେ ହିଁ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି l ପୁରୁଷମାନେ ଯେନତେନ କାମ ଚଳାଇ ଦେଉଥିବା ବେଳେ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ, ପଞ୍ଚା ଗଳିର ରାସ୍ତା କାମ ଓ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ମାର୍କେଟ କମ୍ପ୍ଲେକ୍ସ କାମ ଶେଷ ହେବା ପରେ ତାହା କାର୍ଯ୍ୟକ୍ଷମ କରାଯିବ ସେ ବୋଲି କହିଛନ୍ତି l